ମୟୂରଭଞ୍ଜ (ଏଟିଆର ବ୍ୟୁରୋ); ନିର୍ଦ୍ଦୟ ହେଲା ସ୍ୱାମୀ । ଦଶାଦୋଷ କ୍ଷମା କରିବା ପାଇଁ ଅଗ୍ନି ଆଗରେ ଶପଥ ନେଇଥିବା ସ୍ୱାମୀ ଶେଷରେ ସ୍ତ୍ରୀକୁ ମାରିବା ପାଇଁ କଲା ଉଦ୍ୟମ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିଘୋଡ ନିଦରେ ଶୋଇଥିବା ସ୍ତ୍ରୀର ବେକକୁ କାଟିବା ପାଇଁ ଉଦ୍ୟମ କରିଥିଲା ସଇତାନ ସ୍ୱାମୀ । ତେବେ ମହିଳା ପାଟି କରିବାରୁ ଏଥିରେ ସଫଳ ହୋଇନଥିଲା ସ୍ୱାମୀ । ମହିଳାଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇ ଯାଇଥିବା ବେଳେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ମହିଳା । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିଙ୍ଗପୋଷି ଥାନା ଅଞ୍ଚଳରେ ।
ବାରିଙ୍ଗ ପୋଷି ଥାନା ଅନ୍ତର୍ଗତ ଶିରସାହି ଗ୍ରାମର ଲାଲ ମୋହନ ମୁର୍ମୁ ତାଙ୍କ ସ୍ତ୍ରୀଙ୍କୁ ମାରିବା ଉଦ୍ୟମ କରିଥିଲେ । ସ୍ତ୍ରୀଙ୍କ ଅନ୍ୟ ପୁରୁଷ ସହ ସମ୍ପର୍କ ଥିବା ନେଇ ସବୁବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ତେବେ ୨ ଦିନ ତଳେ ଦ୍ୱାରଶୁଣି ମେଳା ଦେଖିବା ପାଇଁ ଯାଇଥିଲେ ମହିଳା । ସେଠାରେ ଜଣେ ଦିଅରଙ୍କ ସହ ବୁଲାବୁଲି କରିବା ସହ ଫଟୋ ଉଠାଇଥିଲେ । ଯାହାକୁ ଦେଖିବା ପରେ ସ୍ୱାମୀ ରାଗି ଯାଇଥିଲେ । ଏବଂ ଏହି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା ।
ଅନ୍ୟ ପୁରୁଷ ସହ ସ୍ତ୍ରୀଙ୍କ ଫଟୋ ଦେଖିବା ପରେ ଲାଲ ମୋହନଙ୍କ ମୁଣ୍ଡରେ ପିତ ଚଢ଼ି ଯାଇଥିଲା । ଏଣୁ ସେ ସ୍ତ୍ରୀଙ୍କୁ ମାରିବା ପାଇଁ ଯୋଜନା କରୁଥିଲେ । ସୋମବାର ବିଳମ୍ବିତ ରାତିରେ ସ୍ତ୍ରୀ ନିଘୋଡ ନିଦରେ ଶୋଇ ପଡିବା ପରେ ତାଙ୍କ ବେକକୁ ଛୁରୀରେ କାଟିଦେଇଥିଲେ ଲାଲ ମୋହନ । ତେବେ ସ୍ତ୍ରୀ ପାଟି କରିବାରୁ ସାଇ ପଡିଶା ଆସି ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଲୋକଙ୍କୁ ଦେଖିବା ପରେ ଲାଲ ମୋହନ ଫେରାର ହୋଇ ଯାଇଥିଲେ । ଏବେ ମହିଳା ଜଣକ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।