ପୁରୀ (ଏଟିଆର ବ୍ୟୁରୋ): ସମୁଦ୍ର ବେଳାଭୂମିରେ ବେଧଡକ ଚାଲିଥିଲା ଶୌଚାଳୟ ନିର୍ମାଣ । କାହାରିକୁ ଡର ଥିଲା ନା ଭୟ । ମନ ଇଚ୍ଛା ଚାଲିଥିଲା ମନ୍ମାନି । ହେଲେ ଏନେଇ କିଏ ଦେଇଥିଲା ଅନୁମତି?ଯଦି ଅନୁମତି ମିଳିନଥିଲା ତେବେ କାହା ସାହାରାରେ ଏତେ ବଡ କାମ ହେଉଥିଲା । ଆଜ୍ଞା ହଁ ଏଭଳି ବେଆଇନ କାମ ଆଉ କେଉଁଠି ନୁହେଁ ଶ୍ରୀକ୍ଷେତ୍ର ପୁରୀ ବେଳାଭୂମିରେ ହେଉଥିବାର ଅଭିଯୋଗ ।
ପୁରୀ ବେଳାଭୂମିରେ ଥିବା ଗାନ୍ଧୀ ପାର୍କ ପଛ ପଟେ ଅସ୍ଥାୟୀ ଶୌଚାଳୟ ନିର୍ମାଣ ହେବା ଘଟଣା ସାମ୍ନାକୁ ଆସିଥିଲା । କେବଳ କିଲୋମିଟର ଜାଗାରେ ନୁହେଁ ବରଂ ୧ ହଜାର ଫୁଟ୍ ଲମ୍ବରେ ବାଲି ସିମେଣ୍ଟ ଯୋଗେ ଏହି ଅସ୍ଥାୟୀ ଶୌଚାଳୟ ନିର୍ମାଣ ହେଉଥିଲା । ଆଗକୁ ରଥଯାତ୍ରା ଭିଡକୁ ଦୃଷ୍ଟିରେ ରଖି ଏକ ସଂସ୍ଥା ଏଭଳି ବେଆଇନ କାର୍ଯ୍ୟ କରୁଥିବା ସନ୍ଦେହ । ଏହି ଘଟଣାରେ ଥାନାରେ ଅଭିଯୋଗ ହେବା ପରେ ତହସିଲଦାରଙ୍କ ଉପସ୍ଥିତିରେ ଏହି ବେଆଇନ ଶୌଚାଳୟକୁ ଭଙ୍ଗା ଯାଇଥିଲା । ପୂର୍ବରୁ ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଥିଲା ।