କଟକ(ଏଟିଆର ବ୍ୟୁରୋ):କଟକରେ କଡାକଡି ହେଲା କରୋନା କଟକଣା । ଦେଶରେ ୫ ଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ଲକଡାଇନ ଓ ରାତ୍ରିକାଳୀନ କର୍ଫ୍ୟୁ ଲଗାଯାଇଛି । ନିୟମ ପାଳନ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।ଏ ନେଇ ସିଏମସି ୨ଟି ଟିମ ଗଠନ କରିଛି । ଟିମ୍ ଏରେ ଓ ଟିମ୍ ବିରେ ୪ ଜଣ ଲେଖାଏଁ ସଦସ୍ୟ ସାମିଲ ହୋଇଛନ୍ତି । ଉଭୟ ଟିମର ନେତୃତ୍ୱ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି ।
ସେହିପରି ନିୟମକୁ କଡାକଡି ଭାବେ ପାଳନ ହେଇଛି କି ନାହିଁ ଏନେଇ ଟିମ ତଦାରଖ କରିବେ । ବଜାର , ଧାର୍ମିକସ୍ଥଳୀ , ବିବାହ ଉତ୍ସବରେ ଭିଡ ନକରିବା ପାଇଁ ପଦକ୍ଷେପ ନିଆଯାଇଛି । ଜନସାଧାରଣ ଯେପରି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବେ ସେ ନେଇ ଗୁରୁତ୍ୱ ଦିଆଯାଇଛି ।
କରୋନା ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୀପ ଜେନା । ଢାବା , ରେଷ୍ଟୁରାଣ୍ଟ , ଓ ହୋଟେଲଗୁଡିକ ଉପରେ କଡା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଂଘନ କଲେ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ।
ପୂର୍ବ ନିୟମ ଅନୁସାରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଶିକ୍ଷାନୁଷ୍ଠାନ ଗୁଡିକରେ ପାଠପଢା ବ୍ୟତୀତ ଅନ୍ୟ କୈାଣସି କାର୍ଯ୍ୟକ୍ରମ ହେବ ନାହିଁ ।ଅନ୍ୟ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ନେଇ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।