କୋରାପୁଟ(ଏଟିଆର ବ୍ୟୁରୋ): କୋରାପୁଟ ଜିଲ୍ଲାର ଜଣେ ଦିନ ମଜୁରିଆ ଦେବେ ଅଢେଇ ଲକ୍ଷ ଟଙ୍କାର ଆୟକର ଶୁକ୍ଳ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ । ନିଜ ପେଟ ପୋଷିବା ପାଇଁ ପର ଘରେ ମୂଲ ଲାଗି ଦିନକୁ ଦିଓଳି ଖାଇବା ଯୋଗାଡ କରୁଥିବା ଶ୍ରମିକ ସନଥର ଗଣ୍ଡଙ୍କୁ ଆୟକର ବିଭାଗ ପକ୍ଷରୁ ୨ଲକ୍ଷ ୫୮ଟଙ୍କା ପୈଠ କରିବା ପାଇଁ ନୋଟିସ ଆସିଛି ।
ପୁରା ଘଟଣାଟି ହେଲା ସନଥର ନିଜେ ସ୍ୱାକ୍ଷର ହୋଇନଥିବାରୁ ପେଟ ପୋଷିବା ପାଇଁ ଦୀର୍ଘ ୭ବର୍ଷ ହେବ ଉମରକୋଟରେ ଜଣେ ବ୍ୟବସାୟୀଙ୍କ ପାଖରେ ଦିନ ମଜୁରିଆ ଭାବରେ କାମ କରୁଥିଲେ । ସେଠାରେ କାମ କରୁଥିବା ସମୟରେ ଉକ୍ତ ବ୍ୟବସାୟୀ ଜଣଙ୍କ ତାଙ୍କ ଆଧାର କାର୍ଡ ଓ ଅନ୍ୟାନ ଡକ୍ୟୁମେଣ୍ଟ ସବୁ ହାତେଇ ନେଇଥିଲେ । ଏହାପରେ ବ୍ୟବସାୟୀ ଜଣଙ୍କ ତାଙ୍କ ଡକ୍ୟୁମେଣ୍ଟକୁ ନେଇ କଣ କରିଥିଲେ ସେ ବିଷୟରେ ସନଥରଙ୍କୁ କିଛି ଜଣାନାହିଁ ବୋଲି ସନଥର କହିଛନ୍ତି ।
ବ୍ୟବସାୟୀ ଜଣଙ୍କ ଦିନମଜୁରିଆଟିର ଅପାଠୁଆ ହେବାର ଫାଇଦା ଉଠାଇ ICIC ବ୍ୟାଙ୍କରେ ତାଙ୍କ ନାମରେ ପଇସା କାରବାର କରୁଥିଲେ । ସୂଚନା ଅନୁସାରେ ସନଥରଙ୍କ ନାମରେ ବ୍ୟାଙ୍କରେ ୧କୋଟି ୪୭ଲକ୍ଷରୁ ଉର୍ଦ୍ଧ ଟଙ୍କା ରଖାଯାଇଥିଲା ଏବଂ ଏହି ଟଙ୍କା ପରେ ଉଠାଯାଇଥିଲା ।
ଜୀବନରେ ବ୍ୟାଙ୍କର ମାଟି ମାଡିନଥିବା ଦିନ ମଜୁରିଆଟି ଏକଥା ଶୁଣି ପାଦତଳୁ ମାଟି ଖସିଯାଇଥିଲା । ତାଙ୍କ ନାମରେ କେମିତି ବ୍ୟାଙ୍କରେ ଆକାଉଣ୍ଟ ଖୋଲାଗଲା । ତାଙ୍କ ଦସ୍ତଖତ କିଏ ଦେଲା । ତେବେ ସମସ୍ୟାର ସମାଧାନ ପାଇଁ ସନଥର ଆଇନର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।