ପୁରୀ (ଏଟିଆର ବ୍ୟୁରୋ); ଜଗତର ନାଥ ମହାପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସି ହଟହଟା ହୋଇଛନ୍ତି ଇଣ୍ଡୋନେସିଆ ବାଲି ଦ୍ୱୀପର କରଙ୍ଗାସେମ ରାଜ ପରିବାରକୁ । ଶ୍ରୀମନ୍ଦିର ଆଗରେ ପ୍ରାୟ ଦେଢ଼ ଘଣ୍ଟା କଳ ଅପେକ୍ଷା କରିବା ପରେ ମହପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଥିଲେ ଏହି ପରିବାର । କରଙ୍ଗାସେମ୍ ରାଜ ପ୍ରତିନିଧି ଗୁସ୍ତି ଆୟୁ ମାସ ସୁମତ୍ରୀ, ରାଜ ପରିବାରର ଆଗୁସ ଇନ୍ଦ୍ର ଉଦାୟନ, ମାଦେ ସୌର୍ତାନ୍, ଗୁସ୍ତି ବାକୁସ ଜୟ ଅର୍ସନା, ୱାୟାଁ ଆସ୍ତିକା, ଇଦା ଆୟୁ ମାଦେ ଦ୍ବିତା ସୁଗିଆନ୍ତିନି, ଇଦା ବାଗୁସ୍ ଆଗୁଙ୍ଗ୍ ଗୁଣର୍ଥ୍ବାୱା, ୱାୟାଁ ସାରି ଡିକା ପ୍ରମୁଖ ୭ ଦିନିଆ ଭାରତ ଗସ୍ତରେ ଆସିଛନ୍ତି।
ଗୁରୁବାର ଗୋଟାଏ ୧୦ ବେଳେ ଏହି ରାଜ ପରିବାର ଆସି ମନ୍ଦିର ସମୁଖରେ ପହଁଞ୍ଚିଥିଲେ । ତେବେ ଏମାନେ ମନ୍ଦିର ଭିତରକୁ ଯାଉଥିବା ବେଳେ ସେମାନଙ୍କୁ ମନ୍ଦିର ମୁଖ୍ୟ ଗେଟରେ ଅଟକାଇ ପରିଚୟ ପତ୍ର ମାଗିଥିଲେ । ରାଜ ପରିବାର ପରିଚୟ ପତ୍ର ଦେଖାଇଥିଲେ ସୁଦ୍ଧା ପାଖାପାଖି ଦେଢ଼ ଘଣ୍ଟା କାଳ ମନ୍ଦିର ବାହାରେ ଠିଆ ହେବା ପରେ ମନ୍ଦିର ଭିତରକୁ ଛାଡିଥିଲେ । ତେବେ ଏହାକୁ ନେଇ ଦୁଃଖ ଅନୁଭବ କରିଛନ୍ତି ଏହି ପରିବାର ।
ମହାପ୍ରଭୁଙ୍କ ଦର୍ଶନ ପରେ ଏହି ରାଜ ପରିବାର କହିଛନ୍ତି, କଳିଙ୍ଗ ସହ ବାଲିର ବହୁ ଘନିଷ୍ଠ ସଂପର୍କ ରହିଛି। ଏ ଦୃଷ୍ଟିରୁ ଓଡ଼ିଶା ଆମ ଘର ଭଳି। କୋଣାର୍କ-ପୁରୀ ସଦାସର୍ବଦା ବାଲି ଲୋକଙ୍କୁ ଆକର୍ଷିତ କରି ଆସିଛି। ଭବିଷ୍ୟତରେ କଟକକୁ ସିଷ୍ଟର ସିଟି ଭାବେ ବାଲି ପରିଚୟ ଦେବାକୁ ଯାଉଛି। କଟକରେ ସିଷ୍ଟର ମନ୍ଦିର ବି ହେବାକୁ ଯାଉଛି। ଏ ସଂପର୍କରେ ଆସନ୍ତାକାଲି କଟକ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା କାର୍ଯ୍ୟକ୍ରମ ରହିଛି। ପରବର୍ତୀ ସମୟରେ ପୁରୀକୁ ଏହି ମାନ୍ୟତା ଦେବାର ଯୋଜନା ରହିଛି। ଏହାର ମୂଳ ଉଦ୍ଦେଶ୍ୟ ବାଲି ସହ ଓଡ଼ିଶାର ସଂପର୍କକୁ ନିବିଡ଼ କରିବା ଏବଂ କଟକ, ପୁରୀ ଭଳି ସ୍ଥାନକୁ ବାଲିର ପର୍ଯ୍ୟଟକ ସଂଖ୍ୟା ବଢ଼ାଇବା। ମାର୍ଚ୍ଚ ୯ରେ ନୂଆଦିଲ୍ଲୀ ଫେରିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଥିବା ଏହି ରାଜ ପରିବାର କହିଛନ୍ତି।