ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା କବଳରେ କବଳିତ ସାରା ବିଶ୍ୱ । ଲୋକଙ୍କୁ କଲବଲ କରି ରଖିଛି ଏହି ଅଦୃଶ୍ୟ ମହାମାରୀ । ଏହି ସମୟରେ କିଏ କାହା ସହିତ ଦେଖା ହେବାତ ଦୂରର କଥା, ଠିକ୍ ସେ ନିଜ ପ୍ରିୟଜନଙ୍କ ଭଲ-ମନ୍ଦ ମଧ୍ୟ ପଚାରି ବୁଝିବା ଅସମ୍ଭବ ହୋଇପଡୁଛି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆବାସୀ ଏକ ଅଭିନବ ଉପାୟ ଆପଣାଇଛନ୍ତି । ବିଦେଶରେ ରହୁଥିଲେ ମଧ୍ୟ ଭୁଲି ନାହାନ୍ତି ନିଜ ଜନ୍ମ ମାଟିକୁ । ନିଜର ଜନ୍ମମାଟି ସହ ଯୋଡିବାର ଅଭିପ୍ରାୟ ନେଇ ଗଠିତ ଡିଜିଟାଲ ଫୋରମ ‘ଅଭିନ୍ନ ଓଡିଶା’ ଗତ ରବିବାର ଭାରତୀୟ ସମୟ ସନ୍ଧ୍ୟା ସାଢେ ସାତଟାରେ ଆୟୋଜିତ କରିଥିଲା ଏକ ଭର୍ଚୁଆଲ କାର୍ଯ୍ୟକ୍ରମ । ଯାହାର ନାଁ ଥିଲା ‘କେମିତି ଅଛନ୍ତି ଓଡିଆଏ’ । ଏହାସହିତ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦ୍ୟେଶ ଥିଲା ମହାମାରୀ ସମୟରେ ପରସ୍ପରର ହାଲଚାଲ ବୁଝିବା ।
ଭର୍ଚୁଆଲି ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଲିଉଡ ଅଭିନେତା ଅକାଶଦାସ ନାୟକ ଯୋଗ ଦେବା ସହ ଅଭିନ୍ନ ଓଡିଶା ଲୋଗୋ ମଧ୍ୟ ଉନ୍ମୋଚିତ କରିଥିଲେ । ଏହି ଅବସରରେ ଅକାଶ କହିଥିଲେ କି , ଓଡ଼ିଆ ଭାଇ ଭଉଣୀ ମାନେ ଅନ୍ୟ ମାନଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି। ପ୍ରଭୁ ଜଗନ୍ନାଥଙ୍କ ଏହି ପ୍ରଦେଶ ରେ ଯାହା ସମ୍ଭଳ ଅଛି ତାହା ଆଉ କେଉଁଠି ନାହିଁ, କେବଳ ଆନ୍ତରିକତା ର ଆବଶ୍ୟକତା ଅଛି, ଆତ୍ମବିଶ୍ବାସ ର ଆବଶ୍ୟକତା ଅଛି। ଏଭଳି ବିପତ୍ତି ସମୟରେ ଏକ ଅନ୍ଧକାରମୟ ଗୁମ୍ଫା ମଧ୍ୟ ଦେଇ ଗତି କରୁଥିବା ମାନବ ସମାଜ କୁ ପରସ୍ପରର ସାହାଯ୍ୟ ନିହାତି ଲୋଡ଼ା। ଅଭିନ୍ନ ଓଡିଶା ର ଏଭଳି କାର୍ୟ୍ୟକ୍ରମ ବିଶ୍ଵବ୍ୟାପୀ ଓଡିଆ ଭାଇ ଭଉଣୀ ମାନଙ୍କୁ ଗୋଟିଏ ସୂତାରେ ବାନ୍ଧି ଏକ ସୁନ୍ଦର ମାଳଟିଏ ପ୍ରସ୍ତୁତ କରିବାରେ ସହାୟକ ହେବ ।
ଏହାସହିତ ଏହି କାର୍ଯ୍ୟକ୍ରମରେ ଫୋରମ ର ପ୍ରତିଷ୍ଠାତା ସଭାପତି ଶ୍ରୀ ସଞ୍ଜୀବ ମିଶ୍ର “ଅଭିନ୍ନ ଓଡ଼ିଶା” ନିର୍ମାଣ ର ଅଭିପ୍ରାୟ ସମ୍ବନ୍ଧରେ ବିଶ୍ଵବ୍ୟାପୀ ଓଡ଼ିଆଏ ଙ୍କୁ ଅବଗତ କରାଇଥିଲେ। ଜୁମ ପ୍ଲାଟଫର୍ମ ରେ ପରିଚାଳିତ ଏହି ନିଆରା କାର୍ୟ୍ୟକ୍ରମ ରେ ପୃଥିବୀର କୋଣ ଅନୁକୋଣରୁ ଓଡ଼ିଆଏ ସିଧାସଳଖ ଯୋଡ଼ି ହେଇଥିଲେ। ଯୁକ୍ତରାଷ୍ଟ୍ର ଆମେରିକାରୁ ନିର୍ମଳ ରାଉତ ଏବଂ ସୌମ୍ୟକାନ୍ତ ଜେନା, କତାର ରୁ ନିତା ମେହେର ମହାମାରୀ ଦ୍ୱାରା କିପରି ପ୍ରଭାବିତ ହୋଇଥିଲେ ସେ ବିଷୟରେ ଦର୍ଶକଙ୍କୁ ଅବଗତ କରାଇଥିଲେ। ଦୋହାରେ ଥିବା ଓଡ଼ିଆ ସୋସାଇଟି “ଉତ୍କଳିକା”ର ସଭାପତି ଶ୍ରୀ ବିଦ୍ୟା ଭୂଷଣ ମହାନ୍ତି କୋଭିଡ ର ପ୍ରଥମ ଲହରୀ ରେ କତାର ରେ ଫସିଥିବା ଶତାଧିକ ଓଡ଼ିଆ ଶ୍ରମିକ ଶ୍ରେଣୀୟ ଭାଈ ମାନଙ୍କୁ କିପରି ଓଡିଶାକୁ ଏୟାର ଲିଫ୍ଟ କରେଇଥିଲେ ସେ ସମ୍ପର୍କରେ ଉପସ୍ଥିତ ଦର୍ଶକଙ୍କୁ ସୂଚନା ଦେଇଥିଲେ।
ବାଲୁକା ଶିଳ୍ପୀ ରୁବେଲାଲ ପ୍ରଧାନଙ୍କ ସ୍ୟାଣ୍ଡ ଆନିମେସନ କାର୍ୟ୍ୟକ୍ରମ ର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା। ଓଡିଶା ତଥା ଭାରତର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଓଡ଼ିଆଏ ଏହି କାର୍ୟ୍ୟକ୍ରମ ରେ ଅଂଶଗ୍ରହଣ କରି ନିଜର ଜୀବନ ଓ ଜୀବିକା କିପରି ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି ସେସମ୍ପର୍କରେ ସୂଚନା ଦେଇଥିଲେ।ଯୋଗାଚାର୍ୟ ହରି ଭାଇ ଆର୍ୟ୍ୟନଙ୍କ ସ୍ୱତନ୍ତ୍ର ଉପସ୍ଥାପନା “ଯୋଗ ଏବଂ ପ୍ରାଣୟମ ଦ୍ୱାରା ମହାମାରୀ ସମୟରେ କିପରି ମାନସିକ ସ୍ଥିରତା ବଜାୟ ରଖିହେବ” ଦର୍ଶକ ମାନଙ୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଦେଶ ବିଦେଶରୁ ଭିଡ଼ିଓ ମାଧ୍ୟମରେ କିଛି ଓଡ଼ିଆଏ ନିଜର ବାର୍ତ୍ତା ପଠେଇଥିଲେ। ଭାରତରୁ ଶ୍ରୀ ସଞ୍ଜୟ ପଟ୍ଟନାୟକ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ, ଯୁକ୍ତରାଷ୍ଟ୍ର ଆମେରିକା ରୁ ଶ୍ରୀ ଶୋଭନ୍ ମହାପାତ୍ର ଏବଂ ୟୁନଇଟେଡ଼ କିଙ୍ଗଡ଼ମ୍ ରୁ ଶ୍ରୀ ଭବାନୀ ଶଙ୍କର ମହାନ୍ତି ସହ ପରିଚାଳନାର ଦାୟିତ୍ୱ ନିର୍ବାହ କରିଥିଲେ।ସେହିପରି ସମ୍ପୂର୍ଣ୍ଣ କାର୍ୟ୍ୟକ୍ରମ ର କନ୍ସୋଲ୍ ପରିଚାଳନା କରିଥିଲେ ଶ୍ରୀ ଶାଶ୍ୱତ ଦେବଦତ୍ତ। ପରିଶେଷରେ ବାଙ୍ଗାଲୋର ରେ ଅବସ୍ଥାପିତ ଶ୍ରୀ ଶରଣ ମିଶ୍ର ଧନ୍ୟବାଦ ବାର୍ତ୍ତା ପ୍ରଦାନ କରିଥିଲେ।