ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପରିବହନ ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ବିବାଦ ଘରରେ ପୁଣି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଗୋଟିଏ ପରେ ଗୋଟିଏ ବିବାଦରେ ଫସିବାରେ ଲାଗିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ବିବାଦ ଯେମିତି ତାଙ୍କ ପିଛା ଛାଡିବାର ନା’ ଧରୁନି । କିଛି ଦିନ ପୂର୍ବ ସାଧାରଣତନ୍ତ୍ର ଦିବସ ଅବସରରେ ମନ୍ତ୍ରୀ ନିଜର ଚପଲକୁ ଆଉ କାହା ହାତରେ ବୁହାହି ଥିବାର ଦୃଶ୍ୟ ଭାଇରାଲ ହେଇଥିବା ବେଳେ ଏବେ ପୁଣି ହାଇକୋର୍ଟ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇ ମନ୍ତ୍ରୀଙ୍କୁ ହରଡଘଣାରେ ପକାଇଛନ୍ତି । ମନ୍ତ୍ରୀ ପଦ୍ମନାଭ ବେହେରା ନିଜର ସତ୍ୟପାଠରେ ବାରମ୍ବାର ଦେଉଥିବା ନିଜର ଶିକ୍ଷାଗତ ଯୋଗ୍ୟତାଙ୍କୁ ବଦଳାଉଥିବାରୁ ହାଇକୋର୍ଟ ଏହିଭଳି ନିର୍ଦ୍ଦେଶ ନାମାଜାରି କରିଛନ୍ତି ।
ସୂଚନାନୁଯାୟୀ , ମନ୍ତ୍ରୀ ବାରମ୍ବାର ନିଜର ନିର୍ବାଚନ ସମୟରେ ଦାଖଲ କରୁଥିବା ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତାକୁ ବଦଳାଉଛନ୍ତି ବୋଲି ବୀରମହାରାଜପୁର ଅଞ୍ଚଳର ଜଣେ ସ୍ଥାନୀୟ ବ୍ୟକ୍ତି ଅଭିଯୋଗ ଆଣିଥିଲେ । ସେ ଏହି ବାବଦରେ ଥାନାରେ ଏତଲା କରିଥିଲେ ମଧ୍ୟ ପୋଲିସ ଏହି ମାମଲା ବିରୋଧରେ କୌଣସି ବି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବାରୁ ସେହି ବ୍ୟକ୍ତି ଜଣକ ନିଜର ଅସନ୍ତୋଷ ଭାବ ଦେଖାଇଥିଲେ । ଏବଂ ଏହାପରେ ସେ ବାଧ୍ୟ ହୋଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ଏହା ଉପରେ ହାଇକୋର୍ଟ ଶୁଣାଣି କରି ବୀରମହାରାଜପୁର ଥାନାର ଆଇଆଇସିଙ୍କୁ ପୂର୍ବ ଏତଲା ଗ୍ରହଣ କରିବା ସହ ତଦନ୍ତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ତେବେ ଏହି ସମସ୍ତ ଘଟଣା ଉପରେ ମନ୍ତ୍ରୀଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।