ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତକାଲି ବୁଧୁବାର ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରକୋପ ଦେଖାଇଛି ବାତ୍ୟା ଅମ୍ଫାନ । ବିଶେଷ କରି ପଶ୍ଚିମବଙ୍ଗରେ ଅଧିକ ତାଣ୍ଡବ ରଚିଛି ଅମ୍ଫାନ । ବାତ୍ୟାର ପ୍ରଭାବରେ ପଶ୍ଚିମବଙ୍ଗରେ ୧୨ ଜଣଙ୍କ ଜୀବନ ଯାଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି । ସେହିଭଳି ଯଦି ଓଡିଶା କଥା କହିବା ଓଡିଶାରେ ମଧ୍ୟ ଅମ୍ଫାନ ବ୍ୟାପକ କ୍ଷୟ କ୍ଷତି କରିଛି । ବିଶେଷ କରି ଉପକୂଳବତ୍ତୀ ଜିଲ୍ଲା କେନ୍ଦ୍ରାପଡା , ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଓଡିଶାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମଳିଛି । କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ମାନଙ୍କରେ ଏବେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଛି ପୁନଃଉଦ୍ଧାର କାର୍ଯ୍ୟ । ବାତ୍ୟା ଅମ୍ଫାନ ପ୍ରଭାବରେ ଯାହା କ୍ଷୟକ୍ଷତି ହୋଇଛି,୨ ଦିନ ଭିତରେ ତାହାର ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରାଯିବ ।
ଏନେଇ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ବାତ୍ୟା ପାଇଁ ବିଶେଷ ଭାବେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି । କୃଷି ଓ ଉଦ୍ୟାନ କୃଷି ଅଧିକ ପ୍ରଭାବିତ ହୋଇଥିବାର ଆଶଙ୍କା ରହିଛି । ରାଜସ୍ବ ଓ କୃଷି ବିଭାଗର ଅଧିକାରୀମାନେ ଅନୁଧ୍ୟାନ କରି ରିପୋର୍ଟ ଦେବେ । ସେହିପରି କେଉଁଠି କେତେ ବ୍ୟକ୍ତିଗତ ଘର ଭାଙ୍ଗିଛି, କେତେ ସରକାରୀ ସମ୍ପତି ନଷ୍ଟ ହୋଇଛି ତାହାର ଆକଳନ କରାଯିବ ।