ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ।
ଏହି ଅବସରରେ ସେ ସମସ୍ତ ସରପଞ୍ଚକୁ ଶପଥ ପାଠ କରାଇଛନ୍ତି । ବାହାର ରାଜ୍ୟରୁ ଆସୁଥିବା ଓଡିଆଙ୍କୁ କିପରି ସଙ୍ଗରୋଧରେ ରଖାଯାଇ, ସେମାନଙ୍କର ସ୍ୱାସ୍ଥ୍ୟ, ରହିବା ଏବଂ ଖାଇବା ଖବର ବୁଝାଯିବ । ସେନେଇ ସରପଞ୍ଚମାନେ ଶପଥ ନେଇଛନ୍ତି । କରୋନାକୁ ମୁକାବିଲା ପାଇଁ ସମସ୍ତ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଛନ୍ତି ରାଜ୍ୟ ସରକାର ।ସେଥିପାଇଁ ସରପଞ୍ଚମାନେ କିଭଳି କଡାକଡି ଭାବେ ସେମାନଙ୍କର ଦାୟିତ୍ୱ ତୁଲାଇବେ ସେନେଇ ଆଜି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶପଥ ପାଠ କରାଇଛନ୍ତି ।
ସରପଞ୍ଚମାନଙ୍କ ସେହି ଶପଥ ପତ୍ରରେ ଲେଖା ହୋଇଛି କି, ମୁଁ ଶପଥ କରି କହୁଅଛି ଯେ, ମୋ ପଞ୍ଚାୟତରେ କରୋନାକୁ ରୋକିବା ପାଇଁ ମୋତେ ଦିଆଯାଇଥିବା ଦ୍ୱାୟିତ୍ୱ, ଲୋକମାନଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବି । ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକମାନଙ୍କୁ ସଙ୍ଗରୋଧରେ ରଖିବି । ସେମାନଙ୍କ ରହିବା, ଖାଇବା , ଚିକିତ୍ସାର ଉଚିତ୍ ବ୍ୟବସ୍ଥା କରିବି । କରୋନାକୁ ରୋକିବା ପାଇଁ ସରକାରଙ୍କ ସବୁ ପଦକ୍ଷେପକୁ ମୋ ପଞ୍ଚାୟତର ଭାଇ-ଭଉଣୀମାନଙ୍କ ମଙ୍ଗଳ ପାଇଁ କଡାକଡି ଭାବେ ପାଳନ କରିବି । ମୋ ପଞ୍ଚାୟତରେ କରୋନକୁ ପଶିବାକୁ ଦେବି ନାହିଁ ।