ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟଙ୍କେ କି ଦୁଇ ଟଙ୍କିଆ ନୁହେଁ କିମ୍ବା ୧୦ ଟଙ୍କିଆ କି ୨୦ ଟଙ୍କିଆ ନୁହେଁ । ଦୀପାବଳି ଅବସରରେ ଏବେ ବଜାରକୁ ଏମିତି ଏକ ଦାମୀ ଚକଲେଟ୍ ଆସିଛି ଯାହାର ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସମୁହ ଆଇଟିସି ପକ୍ଷରୁ ମଙ୍ଗଳବାର ସବୁଠାରୁ ଦାମୀ ଚକଲେଟ୍ ବଜାରକୁ ଛଡାଯାଇଛି । ଯାହାର କିଲୋଗ୍ରାମ ପ୍ରତି ଦର ୪.୩ ଲକ୍ଷ ଟଙ୍କା ରହିଛି ।
ଆଇଟିସି ର ଲକ୍ସୁରୀ ଚକଲେଟ୍ ବ୍ରାଣ୍ଡ ଫ୍ୟାବେଲ ଏକ୍ସିକ୍ୱିଜିଟ ଚକଲେଟ ତାର ସୀମିତ ଶୃଙ୍ଖଳାର ଚକଲେଟ୍ ଟ୍ରିନିଟି ଟ୍ରଫଲ୍ସ ଏକ୍ସଟ୍ରାଅର୍ଡିନାୟର ବଜାରକୁ ଛାଡିଛି । ଯାହା ଏବେ ଗିନିଜ୍ ୱାଲ୍ଡ ରେକର୍ଡରେ ସାମିଲ ହୋଇଯାଇଛି । ଏହା ଦୁନିଆର ସବୁଠାରୁ ମହଙ୍ଗା ଚକଲେଟ୍ ବୋଲି କୁହାଯାଉଛି ।
ଆଇଟିସି ର ମୁଖ୍ୟ ପରିଚାଳନ ଅଧିକାରୀ ଅନୁଜ ରୁସ୍ତଗୀ କହିଛନ୍ତି, ଫ୍ୟାବେଲରେ ଆମେ ନୂତନ ବେଞ୍ଚମାର୍କ ସ୍ଥାପିତ କରି ବହୁତ ଖୁସି ଅନୁଭବ କରୁଛୁ । ଆମେ କେବଳ ଭାରତୀୟ ବଜାରରେ ନୁହେଁ ବରଂ ବିଶ୍ୱସ୍ତରରେ ବି ଏହି ଉପଲବ୍ଧି ହାସଲ କରିଛୁ । ଆମେ ଏବେ ଗିନିଜ୍ ୱାଲ୍ଡ ରେକର୍ଡ ରେ ସାମିଲ ହୋଇଯାଇଛୁ ।