ପୁରୀ(ଏଟିଆର ବ୍ୟୁରୋ): ଦୀର୍ଘ ୪ ମାସ ପରେ ଆଜିଠୁ ଖୋଲିଛି ଜଗା ଦୁଆର । ଶ୍ରୀକ୍ଷେତ୍ରରେ କାଳିଆକୁ ଦର୍ଶନ କରିବେ ପୁରୀବାସୀ । ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟୟରେ ଦର୍ଶନ କରିବେ । ୩,୬,୯,୧୨,୧୪,୧୫ ଓ ୧୮ ନମ୍ବର ୱାର୍ଡ ବାସିନ୍ଦା ଆଜି ଦର୍ଶନ କରିବେ । ପୌରସଂସ୍ଥା ଘରଘର ବୁଲି ଟୋକନ ବଣ୍ଟା ଯାଇଥିବା ବେଳେ ଭଡ଼ାଟିଆଙ୍କ ପାଇଁ ସ୍ବତନ୍ତ୍ର ଟୋକନ ବ୍ୟବସ୍ଥା କରାଯାଇଛି।
ଟୋକନ ଓ ପରିଚୟ ପତ୍ର ଦେଖାଇ ସ୍ୱତନ୍ତ୍ର ବ୍ୟାରିକେଡ୍ ଜରିଆରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରିବେ । ଦର୍ଶନ ସାରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।ଏନେଇ ପୋଲିସ ବିଭାଗ ପକ୍ଷରୁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମନ୍ଦିର ଭିତରକୁ କୌଣସି ଭକ୍ତ ଫୁଲ, ତୁଳସୀ, ଭୋଗ କିମ୍ବା ଦୀପ ନେଇ ଯାଇପାରିବେ ନାହିଁ । ଏବଂ ଏହା ସହ ପାର୍ଶ୍ୱ ଦେବାଦେବୀଙ୍କୁ ଛୁଇଁ ପାରିବେ ନାହିଁ ଭକ୍ତ । ସମସ୍ତେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାକୂଳକ କରାଯାଇଛି ।
ପୁରୀ ପୌରପାଳିକା ଆଞ୍ଚଳିକ ବାସିନ୍ଦା ମାନଙ୍କୁ ଆଜିଠୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଦର୍ଶନ କରିବାର ସୁଯୋଗ ମିଳିଥିବାବେଳେ ଅଗଷ୍ଟ ୨୩ ରୁ ସମସ୍ତ ଭକ୍ତଙ୍କୁ ଚତୁର୍ଦ୍ଧା ମୁରତି ଦର୍ଶନ ଦେବେ । ଏବଂ ଏହା ସହ ଆଜିଠୁ ପୁରୀ ସ୍ୱର୍ଗ ଦ୍ୱାରରେ ଶବ ସତ୍କାର କରିପାରିବେ ବାହାର ଜିଲ୍ଲାର ଲୋକେ । ଏନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଦିଆଯାଇଛି ।