ଯାଜପୁର (ଏଟିଆର ବ୍ୟୁରୋ): ଯାଜପୁର ଜିଲ୍ଲାରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ନିୟମ ପରିବର୍ତ୍ତନ କଲେ ଯାଜପୁର ଜିଲ୍ଲାପାଳ । ପୂର୍ବରୁ ଲକ୍ ଡାଉନ୍ ଅବଧିରେ ନିୟମକୁ ଟିକେ କୋହଳ କରିଥିଲେ ଜିଲ୍ଲାପାଳ । କିନ୍ତୁ ଏବେ ପୁଣି ନିମୟରେ ପରିବର୍ତ୍ତନ କରାଯାଇଛି । ଏଣିକି ଆଉ ସବୁଦିନେ ବହି ଦୋକାନ, ବିଦ୍ୟୁତ ମରାମତି ଦୋକନ, ବିଦ୍ୟୁତି ଉପକରଣ ଦୋକାନ ଏବଂ ଗ୍ୟାରେଜ୍ ଖୋଲିବ ନାହିଁ ।
ଜିଲ୍ଲାପାଳଙ୍କ ନୂତନ ନିୟମ ଅନୁଯାୟୀ କେବଳ ରବିବାର ଦିନ ଗ୍ୟାରେଜ୍, ବହି ଦୋକାନ ଏବଂ ବିଦ୍ୟୁତ୍ ମରାମତି ଦୋକାନ ଖୋଲା ରହିବ । ମାତ୍ର ବିଦ୍ୟୁତ୍ ଉପକରଣ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସାଇକେଲ ମରାମତି ଦୋକାନ ସବୁଦିନ ଖୋଲା ରହିବ ବୋଲି ଅନୁମତି ମିଳିଛି । ତାହା ପୁଣି ସକାଳ ୬ଟାରୁ ୧୦ ଟା ଯାଏଁ ଖୋଲା ରହିବ ।
ପୂର୍ବରୁ ଯାଜପୁର ଜିଲ୍ଲାରେ ଲକ୍ ଡାଉନକୁ ଟିକେ କୋହଳ କରାଯିବା ସହିତ ଏପ୍ରିଲ ୧୩ ତାରିଖରୁ ସବୁଦିନ ବହି ଦୋକାନ, ଗ୍ୟାରେଜ୍, ବିଦ୍ୟୁତ୍ ମରାମତି ଏବଂ ସରଞ୍ଜାମ ଦୋକାନ ଗୁଡିକ ଖୋଲା ରହୁଥିଲା । ମାତ୍ର ଏବେ ଏହି ନିଷ୍ପତିରେ ପରିବର୍ତ୍ତନ କରାଯାଇଛି ।