ଜୟପୁର (ଏଟିଆର ବ୍ୟୁରୋ); କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ କଲେଜ ଆଣ୍ଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମରିଗଲେ ମହିଳା । ଗତ ଡିସେମ୍ବର ୫ ତାଙ୍କୁ କରାଯାଇଥିଲା ଗଣଦୁଷ୍କର୍ମ । ତେବେ ଏହି ଘଟଣାରେ ଜଡିତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗରିଫ କରିଛି ଜୟପୁର ସଦର ଥାନା ପୋଲିସ । ସାଇଣ୍ଟଫିକ ଟିମ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଯୋଗାଡ କରୁଛି । ଅଭିଯୁକ୍ତ ଦ୍ୱୟ ହେଲେ କମଳଲୋଚନ ଦଣ୍ଡାଦେଶ ଏବଂ ରମେଶ ଦଣ୍ଡାଦେଶ ।
ପୋଲିସ ସୂ୍ତ୍ରରୁ ମିଳିଥିବା ସୂଚନା ମୁତାବକ ମହିଳାଙ୍କ ସରଳତାର ସୁଯୋଗ ନେଇ ଅଭିଯୁକ୍ତ ଦ୍ୱୟ ଦୁଷ୍କର୍ମ କରିବାରେ ସଫଳ ହୋଇଛନ୍ତି । ୩୨ ବର୍ଷୀୟ ମହିଳାଙ୍କ ସ୍ୱାମୀ ଜଣେ ମାନସିକ ଅନଗ୍ରସର ହୋଇଥିବା ବେଳେ ତାଙ୍କ ଶାଶୂ ଜଣେ ଅନ୍ଧୁଣୀ । ସେପଟେ ମହିଳାଙ୍କର ଦୁଇ ଜଣ ପୁଅଥିଲେ ମଧ୍ୟ ସେମାନେ ଛୋଟ ବୟସର ହୋଇଥିବାର ସୁଯୋଗ ନେଇ ଗତ ୫ ତାରିଖରେ ଘରେ ପଶିଜୋର ଜବରଦସ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ମହିଳାଙ୍କ ପାଟି ଶୁଣିବା ପରେ ପଡୋଶୀ ଲୋକ ଆସିବା ପରେ ଅଭିଯୁକ୍ତମାନେ ଖସି ପଳାଇଥିଲେ । ଏହାପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ପରେ ମହିଳାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବା ପରେ ତାଙ୍କୁ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏଠାରେ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ମହିଳାଙ୍କର ମୃତ୍ୟୁ ହୋଇଛି । ଖବର ପାଇବା ପରେ ଗାଁ ଲୋକ ମେଡିକାଲରେ ପହଁଞ୍ଚି ହୋହାଲ୍ଲା କରିଥିଲେ । ଏହା ପରେ ପୋଲିସ ମୃତ ମହିଳାଙ୍କ ସ୍ୱାମୀ ଏବଂ ଶାଶୂଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତଙ୍କୁ ଗରିଫ କରିଛି । ସେପଟେ ସାଇଣ୍ଟଫିକ୍ ଟିମ୍ ମହିଳାଙ୍କ ଘରକୁ ଯାଇ ବିଭିନ୍ନ ନମୂନା ସଂଗ୍ରହ କରୁଛି ।