ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଭାରତକୁ ଲକ୍ ଡାଉନ୍ କରିଦିଆ ଯାଇଛି । ତେବେ ଏହାରି ଭିତରେ ଏପ୍ରିଲ ୫, ୭ ,୯ ଓ ୧୧ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ବାଲିତ କରିଦେଇଛି । ତେବେ ଜେଇଇ ମେନ୍ ପରୀକ୍ଷା ମେ ଶେଷ ସପ୍ତାହରେ କରାଯିବ ବୋଲି ପ୍ରସ୍ତାବ ଦିଆଯାଇଛି । ସେହିପରି ଜେଇଇ ମେନ୍ ପାଇଁ ଆଡମିଟ କାର୍ଡ ଏପ୍ରିଲ ୧୫ ପରେ ମିଳିବ ବୋଲି ଏନଟିଏ କହିଛି ।
ସୂଚନା ଯୋଗ୍ୟ ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । କରୋନା ଭାଇରସ ଏବେ ଦିନକୁ ଦିନ ଅଧିକ ବ୍ୟାପିବାରେ ଲାଗିଛି । ସାରା ବିଶ୍ୱରେ ୮ ଲକ୍ଷରୁ ଉର୍ଦ୍ଧ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ୪୨ ହଜାରରୁ ଅଧିକ ଲୋକ ଏହି ଭାଇରସରେ ମୃତ୍ୟୁ ବରଣ କରିସାରିଲେଣି । ସେହିଭଳି ଭାରତରେ ୧୩୦୦ରୁ ଉର୍ଦ୍ଧ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ୩୫ ଜଣ ଲୋକ ମୃତ୍ୟୁ ବରଣ କରିସାରିଲେଣି । ତେବେ ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି । ଓଡିଶାରେ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ଭାଇରସର ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି ।