ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ଯୁଗ୍ମ ପ୍ରବେଶିକା ବା ଜେଇଇ ମେନ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି ପରୀକ୍ଷା ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫଳ ଆସନ୍ତା ୩୧ତାରିଖ ଦିନ ପ୍ରକାଶ ପାଇବ । ଏହି ପରୀକ୍ଷା ନିମନ୍ତେ ଦେଶ ବିଦେଶର ୨୩୩ଟି ସହରରେ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି । ୩୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡିଛି । ଅନ୍ୟପଟେ ଓଡିଶାରେ ପରୀକ୍ଷା ନିମନ୍ତେ ୭ଟି ସହରରେ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି ।
ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ ଢେଙ୍କାନାଳରେ ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷାଟି ଦୁଇଟି ସିଟିଂରେ ହେବାକୁ ଥିବା ବେଳେ ପ୍ରଥମ ସିଟିଂ ସକାଳ୯.୩୦ରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ ଓ ଦ୍ୱିତୀୟ ସିଟିଂଟି ୨.୩୦ରୁ ଆରମ୍ଭ ହୋଇ ୫.୩୦ ପର୍ଯ୍ୟନ୍ତ ଚାଲିବ । ତେବେ ପରୀକ୍ଷା ନିମନ୍ତେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ସ୍ୱତନ୍ତ୍ର ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି । ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନଙ୍କର ଯାଞ୍ଚ କରାଯିବା ପରେ ସେମାନେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିପାରିବେ ।
ସେହିପରି ସାଙ୍ଗରେ ଆଡମିଟ୍ କାର୍ଡ, ଫଟୋ, ଓ ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ ଥିବା ବେଳେ କୌଣସି ବୈଦ୍ୟୁତିକ ଉପକରଣ , ଘଣ୍ଟା, ଖାଦ୍ୟ ପ୍ୟାକେଟ ଓ ପାଣି ବୋତଲ ପରୀକ୍ଷାର୍ଥୀମାନେ ସାଙ୍ଗରେ ପରୀକ୍ଷା କେନ୍ଦ୍ରକୁ ନେଇ ପାରିବେ ନାହିଁ । ତେବେ ସମସ୍ତ ପରୀକ୍ଷା କମ୍ପ୍ୟୁଟରରେ ହେବାକୁ ଥିବା ବେଳେ ରଫ କରିବା ନିମନ୍ତେ ପରୀକ୍ଷାର୍ଥୀମାନଙ୍କୁ ପେନ, ପେପର, ଓ ପେନସିଲ ଆଦି ପରୀକ୍ଷା କେନ୍ଦ୍ର ପକ୍ଷରୁ ଯୋଗାଇଦେବାର ବ୍ୟବସ୍ଥା କରିବାକୁ ଏନଟିଏ ପକ୍ଷରୁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ଆସନ୍ତା ଏପ୍ରିଲ ମାସରେ ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ ହେବ ବୋଲି ଜଣାପଡିଛି । ଏହି ପରୀକ୍ଷାକୁ ପାସ କଲେ ବିଭିନ୍ନ ରାଙ୍କ ରଖିଥବା ପରୀକ୍ଷାର୍ଥୀ ମାନେ NIT , ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବାର ସୁଯୋଗ ପାଇବେ ।