ଜଗତସିଂହପୁର ( ଏଟିଆର ବ୍ୟୁରୋ): ଜିଲ୍ଲାର ଆରାଧ୍ୟ ଦେବୀ ମା ଶାରଳାଙ୍କ ପୀଠରେ ପଣାସଂକ୍ରାନ୍ତି ଓ ଝାମୁ ଯାତ୍ରାକୁ ଦୃଷ୍ଟିରେ ରଖି ଲାଗୁ ହୋଇଛି ୧୪୪ ଧାରା । କେବଳ ମା ଶାରଳାଙ୍କ ମନ୍ଦିର ନୁହେଁ ପରାହାଟ ଭଗବତୀ ମନ୍ଦିରରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଜଗତସିଂପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ତହସିଲଦାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । ମନ୍ଦିରରେ ଏହି ୧୪୪ ଧାରା ଲଗୁ ହୋଇଥିବା ସମରେ କୌଣସି ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ । ସୂଚନାଯୋଗ୍ୟ ପଣାସଂକ୍ରାନ୍ତିରେ ମା ଶାରଳାଙ୍କ ପୀଠକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଭକ୍ତଙ୍କ ଆଗମନ ହୋଇଥାଏ ।
ଏହିଦିନ ଏଠାରେ ହଜାର ହଜାର ଭକ୍ତ ମା ଙ୍କ ଆଶୀର୍ବାଦ ପାଇବା ପାଇଁ ଛୁଟି ଆସିଥାନ୍ତି । ସୂଚନାଯୋଗ୍ୟ ଏହିଦିନ ମା ଙ୍କର ଏକ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ଘଣ୍ଟ ହୁଳହୁଳି ଓ ଢୋଲ ବଜାଇ ମା’ଙ୍କ ପ୍ରଚୀନ ପୀଠ ନଣ୍ଡା ଦେଉଳକୁ ନିଆଯାଇଥାଏ । ଏହାପୂର୍ବରୁ ଗତ ମାସେ ହେଲା ବିଭିନ୍ନ ଗାଁ ବୁଲୁଥିବା ପାଟୁଆ ମାନେ ଆସି ମା’ଙ୍କ ନିକଟରେ ଅଗ୍ନି ପରୀକ୍ଷା ଦେବାର ପରମ୍ପରା ରହିଛି । ତେବେ ଏହି ସମୟରେ ଏଠାରେ ହଜାର ହଜାର ଲୋକ ଏକତ୍ରିତ ହୋଇ ମା’ଙ୍କ ଆଶୀର୍ବାଦ କାମନା କରିଥାନ୍ତି । ଏବେ କରୋନା ସଂକ୍ରମିତ ହେଉଥିବାରୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଏଠାରେ ୧୪୪ ଧାରା ଜାରି ହୋଇଛି ।