ଭୁବନେଶ୍ୱର,(ଏଟିଆରବ୍ୟୁରୋ): ବହୁ ବାଦବିବାଦ ପରେ ଏବେ ଯୋଗେଶଙ୍କୁ ସିଧା ରାସ୍ତା ମିଳିଛି । ହାତ ଛାଡି ଶଙ୍ଖ ଫୁଙ୍କିବେ କଂଗ୍ରେସରୁ ବିଦା ହୋଇଥିବା ପୂର୍ବତନ ବିଧାୟକ ଯୋଗେଶ ସିଂହ । ଆସନ୍ତା ୭ ତାରିଖରେ ସେ ବିଜେଡିରେ ମିଶିବା ନେଇ ସ୍ପଷ୍ଟ ହୋଇଛି । ଫରକ ଏତିକି ରହିଛି ନିଜ ଏରିଆରେ ନୁହେଁ ବରଂ ନବୀନ ନିବାସ ଆସି ସେ ବିଜେଡି ଦଳରରେ ସାମିଲ ହେବେ ।
ତେବେ ପୂର୍ବରୁ ଯୋଗେଶ ଶଙ୍ଖ ଫୁଙ୍କିବା ନେଇ ଯଦିଓ ଚର୍ଚ୍ଚା ହେଉଥିଲା କିନ୍ତୁ ତାହା ଚୁଡାନ୍ତ ରୂପ ନେଇପାରୁନଥିଲା । ଏହାର କାରଣ ଥିଲା ଜବରଦସ୍ତ ବିରୋଧ । ଯୋଗେଶ ବିଜେଡିରେ ମିଶିବା ନେଇ ଦେହରେ ଯାଇନଥିଲା ବିଜେଡି ନେତାଙ୍କର । ଖାସ ଏଥିପାଇଁ ତ’ ପ୍ରବଳ ବିରୋଧ କରିବା ସହ ହଙ୍ଗାମା କରିଥିଲେ । ଘଟଣା ଘଟିଥିଲା ସୁନ୍ଦରଗଡ଼ରେ । ନବ ଦାସଙ୍କ ଭଳି ବିଜେଡିରେ ସାମିଲ ହେବା ନେଇ ଦଳ ପକ୍ଷରୁ ଯୋଜନା ହୋଇଥିଲା ।
ସେହି କାର୍ଯ୍ୟକ୍ରମରେ ଯୋଗେଶ ସମସ୍ତଙ୍କ ସାମ୍ନାରେ ବିଜେଡିରେ ସାମିଲ ହୋଇଥାନ୍ତେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଯୋଗେଶଙ୍କ ମିଶ୍ରଣକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା ଲାଗି ସୁନ୍ଦରଗଡ଼ ପ୍ରଭାରୀ ସାଂସଦ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ସୁନ୍ଦରଗଡ଼ ଯାଇଥିଲେ । ସେଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ଯୋଗେଶଙ୍କ ନା ଶୁଣିବା ମାତ୍ରେ ପାଣିପାଗ ବଦଳି ଯାଇଥିଲା । ରାଗିପାଚି ନାଲ ପଡିଯାଇଥିଲେ କର୍ମୀ ।
ଯୋଗେଶଙ୍କ ମିଶ୍ରଣକୁ ଜବରଦସ୍ତ ବିରୋଧ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ସମସ୍ତଙ୍କ ମୁଣ୍ଡ ଖରାପ । ଫଳରେ ବାଧ୍ୟ ହୋଇ ବୈଠକ ଛାଡିଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ । ତେଣୁ ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯେଭଳି ଗଣ୍ଡଗୋଳିଆ ପରିସ୍ଥିତି ନଉପୁଜେ ସେଥିପାଇଁ ନବୀନ ନିବାସରେ ଶଙ୍ଖ ଫୁଙ୍କିବେ ଯୋଗେଶ ।