ଭୁବନେଶ୍ୱର(ଏଟିଆର ବ୍ୟୁରୋ): କଟକ ଏସସିବିରେ ଆଖି ବୁଜିଲା କାଳିଆ । କନ୍ଧମାଳର ଯୋଡାମୁଣ୍ଡ ଶିଶୁଙ୍କ ମଧ୍ୟରୁ କାଳିଆର ମୃତ୍ୟୁ ହୋଇଛି । ସେପ୍ଟିସେମିଆ ଯୋଗୁଁ କାଳିଆର ମୃତ୍ୟୁ ହୋଇଥିବା ନେଇ ଏସସିବିର ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।
କାଳିଆର ମୃତ୍ୟୁ ଖବର ଶୁଣିବା ପରେ ମିଲୁପଡା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସମସ୍ତଙ୍କ ଆଖିରେ ଲୁହ । କାହା ଆଖିରୁ ଲୁହ ଶୁଖୁନି । କାଳିଆର ମୃତଦେହ ଫିରିଙ୍ଗିଆ ବ୍ଲକର ମିଲୁପଡା ଗାଁରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
ଚିକିତ୍ସା ପାଇଁ ଉଭୟଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କର ଅପରେସନ କରାଯାଇଥିଲା । ଅପରେସନ ସଫଳ ବି ହୋଇଥିଲା । ଏବେ ହଠାତ୍ କାଳିଆର ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗ୍ରାମବାସୀ । ଉଭୟେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଗାଁ ଫେରିବେ ବୋଲି ଭାବିଥିଲେ ଗାଁଲୋକ । ଆଜି କାଳିଆ ଫେରିଛ ସତ ହେଲେ ଜୀବନ୍ତ ନୁହେଁ ମୃତ । କାଳିଆର ମୃତ୍ୟୁ ପରେ ଜଗା ସୁସ୍ଥ ହୋଇ ଗାଁକୁ ଫେରିଆସୁ ବୋଲି ପରିବାର ଲୋକେ କାମନା କରିଛନ୍ତି ।