ବ୍ରହ୍ମପୁର (ଏଟିଆର ବ୍ୟୁରୋ): ରାଜ୍ୟ ସରକାର କାଳିଆ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ଅର୍ଥରାଶି ପ୍ରଦାନ କରିଥିଲେ । ହେଲେ ବାରମ୍ବାର କାଳିଆ ଯୋଜନା ଟଙ୍କା ଆତ୍ମସାତ ହୋଇଯାଉଥିବା ଅଭିଯୋଗ ଆସିଥାଏ । ତେବେ ଗତକାଲି ଗଣମାଧ୍ୟମରେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସିଙ୍ଗିପୁର ପଞ୍ଚାୟତରେ କାଳିଆ ଟଙ୍କା ଆତ୍ମସାତ ହେବା ସହ ବ୍ୟାପକ ଅନିୟମିତତା ହୋଇଥିବା ନେଇ ପ୍ରସାରିତ ହେବା ପରେ ଜିଲ୍ଲା ପ୍ରସାଶନର ନିଦ ଭାଙ୍ଗି ଯେମିତି ଭାଙ୍ଗିଛି । ଜିଲ୍ଲାପାଳ ଏହା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଧବଳେଶ୍ୱର ସେବା ସମବାୟ ସମିତିର ସଂପାଦକ କୈଳାସ ଚନ୍ଦ୍ର ମଲ୍ଲିକଙ୍କୁ ନିଲମ୍ବିତ କରିଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର ବାସୁଦେବ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହାସହ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସୂଚନାନୁଯାୟୀ, ଲୋକମାନେ ଅଭିଯୋଗ କରିଥିଲେ କି, କାଳିଆ ଟଙ୍କା ପ୍ରକୃତ ହୀତାଧିକାରୀଙ୍କ ଆକାଉଣ୍ଟକୁ ନଯାଇ ଅନ୍ୟଲୋକଙ୍କ ଆକାଉଣ୍ଟକୁ ଚାଲିଯାଉଛି । ହିତାଧିକାରୀ ତାଲିକାରେ ନାଁ ଗାଁ ହିତାଧିକାରୀଙ୍କର ଥିବା ବେଳେ ବ୍ୟାଙ୍କ ଆକାଉଣ୍ଟ ଆଉ କାହାର ନାଁ ରହିଥିଲା। ଅନ୍ୟପଟେ ସମବାୟ ସମିତିର ସଂପାଦକ କହିବା କଥା ହେଲା ସୋସାଇଟି ପକ୍ଷରୁ ବ୍ଲକରେ ଡାଟା ଏଣ୍ଟ୍ରି ପାଇଁ ଅସ୍ଥାୟୀ ଭାବେ ଜଣେ ଯୁବକ ବାସୁଦେବ ସାହୁଙ୍କୁ ନିଯୁକ୍ତ କରାଯାଇଥିଲା। ତେବେ ସେ ନିଜର ଓ ନିଜ ପରିବାର ଲୋକଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ଫେରାର ହୋଇଯାଇଛି । ଅପରପକ୍ଷରେ ଜାହାଡ଼ା ପଞ୍ଚାୟତର ୯୪ ଜଣ ଚାଷୀଙ୍କର ପ୍ରାୟ ୧୦ ଲକ୍ଷ କାଳିଆ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ଆସିଛି ।