ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚାଲିଛି ପ୍ରେମ ସପ୍ତାହ । ଆଜି ହେଉଛି ଶେଷଦିନ ଅର୍ଥାତ ଭାଲେଣ୍ଟାଇନ ଡେ । ଆଜିର ଦିନକୁ ନିଆରା ଢ଼ଙ୍ଗରେ ପାଳନ କରିବା ପାଇଁ ପ୍ରେମୀ ଯୁଗଳମାନେ ଆଗଭର ହେଉଥିବା ବେଳେ ବାଟରେ କଣ୍ଟା ହେଉଛନ୍ତି କଳିଙ୍ଗ ସେନା । ପ୍ରେମୀ ଯୁଗଳଙ୍କୁ ଆପତି ଜନକ ଅବସ୍ଥାରେ ଦେଖିଲେ ବିଚୁଆତି ବୋଳିବା ପାଇଁ ଚେତାବନୀ ଦେଇଥିଲା କଳିଙ୍ଗ ସେନା । ଏଣୁ ସକାଳୁ ସ୍ଳୋଗାନ ଦେଇ ବାହାରିଥିଲେ କଳିଙ୍ଗ ସେନାର ସଦସ୍ୟ । ତେବେ ସେମାନେ ବିଛଆତି ବୋଳିବା ପୂର୍ବରୁ ସେମାନଙ୍କୁ ଟେକି ନେଇଛି ପୋଲିସ । ଭୁବନେଶ୍ୱର ଏସପ୍ଲାନେଡ ସାମନାରୁ ୧୦ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ ।
ଆଜି ସକାଳୁ ପ୍ରେମିକ ପ୍ରେମିକା ମାନଙ୍କୁ ବିଛୁଆତି ବୋଳିବା ପାଇଁ ରାଜଧାନୀର ପାର୍କ ଏବଂ ମଲ ଆଗରେ ରହିଥିଲେ କଳିଙ୍ଗ ସେନା । ତେବେ ଏସପ୍ଲାନେଡ ଆଗରେ ବିଛୁଆତି ମାରିବା ପାଇଁ ଠିଆ ହୋଇଥିବା ସଦସ୍ୟଙ୍କୁ ପୋଲିସ ଟେକି ନେଇଛି । ପୂର୍ବରୁ ଏଭଳି ଅଭାବନୀୟ ଘଟଣା ଘଟାଇବା ଖବର ଶୁଣିବା ପରେ କମିଶନରେଟ ପୋଲିସ ପକ୍ଷରୁ ୧୫ ପ୍ଳାଟୁନ ଫୋର୍ସ ମୃତୟନ କରାଯାଇଥିଲା । ସିନେମା ହଲ, ପାର୍କ ଏବଂ ମଲ ସାମନାରେ ଏହି ଫୋର୍ସମାନେ ନିଯୁକ୍ତ ରହିଛନ୍ତି । ସେପଟେ ଯଦି କେହି ପ୍ରେମୀ ଯୁଗଳଙ୍କୁ ମାଡପିଟ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କମିଶନରେଟ ପୋଲିସ ସୂଚନା ଦେଇଛି ।
ପ୍ରେମୀ ଯୁଗଳଙ୍କୁ ହଟହଟା କରିବାକୁ ଯାଇ ଦୁଇ ଦୁଇଥର ହଇରାଣ ହୋଇଛନ୍ତି କଳିଙ୍ଗ ସେନା । ପ୍ରଥମେ ବିଛୁଆତି ଧରି ଫଟୋ ଉଠାଉଥିବା ବେଳେ ନିଜ ଉପରେ ବିଛୁଆତି ପଡିବାକୁ କୁଣ୍ଡାଇ କୁଣ୍ଡାଇ ନୟାନ୍ତ ହୋଇଥିବା ବେଳେ ଏବେ ପୋଲିସ ଉଠାଇ ନେଇଛି । ସେପଟେ ବଜରଙ୍ଗ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ କରାଯାଉଛି । ପ୍ରେମକୁ ବିରୋଧ କରାଯାଉନି କିନ୍ତୁ ପାଶ୍ଚାତ୍ୟ ସଂସ୍କୃତିର ଖରାପ ପରମ୍ପରାକୁ ବିରୋଧ କରାଯାଉଛି ବୋଲି ବଜରଙ୍ଗ ଦଳର ସଦସ୍ୟମାନେ କହିଛନ୍ତି । ଏହା ସହିତ ବିଭିନ୍ନ ସ୍ଥାନରେ ଯୁବକଯୁବତୀଙ୍କୁ ସଚେତନ କରୁଛନ୍ତି । ପୂର୍ବରୁ ବଜରଙ୍ଗ ଦଳ ନାଁରେ କେତେକ ଆସାଜିକ ଯୁବକ ହିଂସା କାଣ୍ଡ ଭିଆଉଥିବାରୁ ସଂଗଠନକୁ ବଦନାମ କରାଯାଇଛି ।