ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବିଏମସି ପକ୍ଷରୁ ଏବେ ବେଆଇନ ମଣ୍ଡପ ଗୁଡିକୁ ବନ୍ଦ କରାଯାଉଛି । ତେବେ ଏହି ଘଟଣାରେ ବିଏମସି ଆଉ ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛି । ବିଏମସି ଏବେ ସିଧାସିଧା କହି ଦେଇଛି ବିନା ଅନୁମତିରେ ସିଲ ହୋଇଥିବା ମଣ୍ଡପ ଗୁଡିକ ଖୋଲାଗଲେ ଏବେ ବନ୍ଧା ହେବେ ମଣ୍ଡପର ମାଲିକ । ଏମିତିକି ମଣ୍ଡପ ମାଲିକଙ୍କ ନାମରେ ଥାନାରେ ମାମଲା ରୁଜ୍ଜୁ କରାଯିବ । ଗତ ଫେବୃଆରୀ ୨ ରୁ ବେଆଇନ ମଣ୍ଡପ ଗୁଡିକୁ ସିଲ କରିବା ଆରମ୍ଭ କରିଛି ବିଏମସି । ମାତ୍ର ଅନେକ ସମୟରେ ଅଭିଯୋଗ ହେଉଛି ଅନେକ ସ୍ଥାନରେ ବିଏମସି ଦ୍ୱାରା ବନ୍ଦ ହୋଇଥିବା କେତେକ ମଣ୍ଡପରେ ବିବାହ ଆଦି କାର୍ଯ୍ୟ ଚାଲୁଥିବାର ।
ମଣ୍ଡପ ଗୁଡିକ ହୋଲଡିଂ ଟ୍ୟାକ୍ସ ଦେଉନଥିବା ଏବଂ ବିଲ୍ଡିଂ ପ୍ଲାନ ଅନୁମୋଦନ ବିନା ଘର ନିର୍ମାଣ କରିଥିବାରୁ ବିଏମସି ମଣ୍ଡପ ଗୁଡିକୁ ସିଲ କରୁଛି । ରାଜଧାନୀରେ ୯୪ ଟି ମଣ୍ଡପ ଥିବା ବେଳେ ସେଥିମଧ୍ୟରୁ ୮୦ ଟି ମଣ୍ଡପକୁ ସିଲ କରିବାକୁ ନିର୍ଦେଶ ହୋଇଥିଲା । କାଗଜପତ୍ର ଠିକ କରିବାକୁ ସେମାନଙ୍କୁ ପୂର୍ବରୁ ଗୋଟିଏ ମାସ ସମୟ ମଧ୍ୟ ଦିଆଯାଥିଲା । ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଯେଉଁ ମଣ୍ଡପ ଗୁଡିକ କାଗଜପତ୍ର ଠିକ କରି ପାରି ନାହାନ୍ତି ଏବେ ସେମାନଙ୍କ ମଣ୍ଡପକୁ ସିଲ କରାଯାଉଛି । ସୂଚନାଯୋଗ୍ୟ ମଣ୍ଡପଗୁଡିକ ଏବେ କାଗଜପତ୍ର ଦାଖଲ କଲେ ଏହାକୁ ବିଚାରକୁ ନେଇ ଖୋଲିବାକୁ ଅନୁମତି ଦିଆଯିବ ।