ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା କମଲ ହାସନ । ତେବେ ମଙ୍ଗଳବାର ଦିନ କମଲ ଭୁବନେଶ୍ୱରରେ ପହଞ୍ଚିଥିଲେ । ସେହି ଦିନ ସନ୍ଧ୍ୟା ସମୟରେ ନବୀନ ନୀବାସରେ ବେଶ କିଛି ସମୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅତିବାହିତ କରିଥିଲେ କମଲ ହାସନ । ଗତକାଲି ସେଞ୍ଚୁରିଆନ ୟୁନିଭର୍ସିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କମଲ ହାସନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରି ପ୍ରଦାନ କରାଯାଇଛି ।
ଏହା ପରେ କମଲ ହାସନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଫିଲ୍ମ ଦୁନିଆରେ ସେ ଯାହା କରନ୍ତି ତାହା ରୋଲ ମଡେଲ ହୋଇଯାଏ । କିନ୍ତୁ ପଲିଟିକ୍ସ କଥା ଯେବେ ଆସେ ସେତେବେଳେ ନବୀନ ଯାହା କରନ୍ତି ତାହା ରୋଲ ମଡେଲ ହୋଇଥାଏ । ଓଡିଶାରୁ ଅନେକ କିଛି ଶିଖିବାର ଅଛି । ତାମିଲନାଡୁ ପାଇଁ ଓଡିଶା ହେବ ରୋଲ ମଡେଲ । ଏହା ସହ ଓଡିଶାର ଏକ ବିଶ୍ୱ ବିଦ୍ୟାଳୟରୁ ସେ ଡକ୍ଟରେଟ ଡିଗ୍ରି ହାସଲ କରିବା ତାଙ୍କ ପାଇଁ ଗୌରବର ବିଷୟ ବୋଲି କମଲ କହିଛନ୍ତି । ତେବେ ଏହା କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ କହିଛନ୍ତି ଯେ କମଲ ହାସନ ଓଡିଶାକୁ ଆସିଥିବାରୁ ସେ ବହୁତ ଖୁସି ଅଛନ୍ତି । ଏହା ସହ ସେ କମଲ ହାସନଙ୍କ ସଫଳ ରାଜନୈତିକ ଭବିଷ୍ୟତ କାମନା କରୁଛନ୍ତି ।