କର୍ଣ୍ଣାଟକ (ଏଟିଆର ବ୍ୟୁରୋ): ପୁଣି ଏକ ନୂଆ ମୋଡ ନେଇଛି କର୍ଣ୍ଣାଟକ ରାଜନୀତି । ୧୪ ବିଧାୟକ ଅଯୋଗ୍ୟ ଘୋଷିତ ହେଲେ । ବାଚସ୍ପତି କେ. ଆାର୍. ରମେଶ ପଦକ୍ଷେପ ନେଇଛନ୍ତି। ୧୪ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। କଂଗ୍ରେସର ୧୧ ଓ ଜେଡିଏସର ୩ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି । ଦଳବଦଳ ଆଇନ ବଳରେ କଂଗ୍ରେସ-ଜେଡିଏସ୍ ମେଣ୍ଟର ବିଦ୍ରୋହୀ ବିଧାୟକଙ୍କ ଉପରେ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାଚସ୍ପତି । ଅଯୋଗ୍ୟ ଘୋଷିତ ହୋଇଥିବା ସମସ୍ତ ବିଧାୟକମାନେ ଚଳିତ ବିଧାନସଭା କାର୍ୟ୍ୟକାଳ ମଧ୍ୟରେ ଆଉ ନିର୍ବାଚନ ଲଢିପାରିବେନି ।
ଆଗରୁ ୩ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ ବାଚସ୍ପତି କେ. ଆର୍. ରମେଶ। ମୋଟ୍ ୧୭ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବାଚସ୍ପତି । ୪ ବର୍ଷ ପର୍ୟ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ ଅଯୋଗ୍ୟ ବିଧାୟକ । ଏହି ସମସ୍ତ ବିଧାୟକ ଅଯୋଗ୍ୟ ଘୋଷଣା ହେବା ପରେ ଗୃହର ସଦସ୍ୟଙ୍କ ସଂଖ୍ୟା ୨୦୮କୁ ଖସି ଆସିଛି। ତେଣୁ ସଂଖ୍ୟା ଗରିଷ୍ଠତା ଲାଭ କରିବା ପାଇଁ ବିଜେପିକୁ ୧୦୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେବ।ଏବେ ବିଜେପିର ୧୦୫ ବିଧାୟକ ଅଛନ୍ତି ଏବଂ ୨ଜଣ ସ୍ବାଧୀନ ବିଧାୟକଙ୍କର ସମର୍ଥନ ରହିଛି।
ଏଣୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ଆଉ ବିଜେପିକୁ ଅସୁବିଧା ହେବ ନାହିଁ । ତେବେ ଆସନ୍ତାକାଲି ସେ ଆସ୍ଥା ଭୋଟ ଲୋଢ଼ିବାର ସମ୍ଭାବନା ରହିଛି । ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକଙ୍କ ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେବ ବୋଲି ଜଣା ପଡିଛି । ଆସନ୍ତାକାଲି ନବଗଠିତ ୟେଦ୍ୟୁରପ୍ପା ସରକାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ।