ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଆ-କା-ମା-ବୈ ଗୀତ ଗାଇ ଡଙ୍ଗା ଭସାଇ ପୂଣ୍ୟ ଅର୍ଜନ କଲେ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ବିନ୍ଦୁସାଗରରେ ଲାଗିଥିଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ । ପାହାନ୍ତାରୁ ବୁଡ ପକାଇ କଦଳୀ ପଟୁଆ ଏବଂ କାଗଜ ଡଙ୍ଗା ଧରି ବିନ୍ଦୁସାଗର କୂଳରେ ପହଁଞ୍ଚିଥିଲେ ଭକ୍ତ । ଆ-କା-ମା-ବୈ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସକ ଧର୍ମ ମୋର ଏଭଳି କହିବା ଦ୍ୱାରା ପୂନ୍ୟ ଅର୍ଜନ ହୁଏ ବୋଲି ଆଗରୁ ମନରେ ଭାବନା ରହିଛି । ପଞ୍ଚୁକ ବ୍ରତର ଶେଷ ଦିନରେ ପୂଣ୍ୟ ଅର୍ଜନ କରିବା ପାଇଁ ବିନ୍ଦୁସାଗର କୂଳରେ ଭକ୍ତଙ୍କ ଭିଡ ଲାଗିଥିଲା । ଜହାର ହଜାର ଶ୍ରଦ୍ଧାଳୁଙ୍କ ଭିଡରେ ଫାଟିପଡୁଥିଲା ଅଞ୍ଚଳ ।
ବିନ୍ଦୁସାଗର ଆୟୋଜନ କମିଟି ପକ୍ଷରୁ ଏକ ଭଜନ ସମାରୋହ ସାଙ୍ଗକୁ ସାଧବ ପୁଅ ବୋହୁ ଭୂମିକାରେ ଅଭିନୟ କରିଥିଲେ କୁନି କଳାକାର ମାନେ । ଯାହାର ମଜା ନେବା ପାଇଁ ଲାଗିଥିଲା ଗହଳି । ଫଳରେ ହଜାର ହଜାର ଡଙ୍ଗାରେ ଭର୍ତ୍ତି ହୋଇଯାଇଥିଲା ପୋଖରୀ ।
ରାଜ୍ୟର କୋଣ ଅନୁକୋଣରେ ଥିବା ସମସ୍ତ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ପୁରୀ ବେଳା ଭୂମ,କଟକ ଗଡଗଡିଆ ଘାଟ ଭଳି ବଡ ବଡ ସ୍ଥାନରେ ଆଜି ସକାଳେ ବୁଡ ପକାଇବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ସୁସଜ୍ୱିତ ଡଙ୍ଗାରେ ଘିଅ ବରକୋଳି ପତ୍ର,ପାନ ଗୁଆ ଥୋଇ ପୂଜାର୍ଚ୍ଚନା ପରେ ପାଣିରେ ଭସାଇ ଦେଇଛନ୍ତି ଡଙ୍ଗା ।
ପୌରାଣିକ ମତ ଅନୁସାରେ, ଏହି ଦିନ ସାଧବ ପୁଅମାନେ ବୋଇତ ଧରି ବାଣିଜ୍ୟ କରିବାକୁ ବାହାରୁଥିଲେ । ଦରିଆ ପାରି ଜାଭା, ସୁମାତ୍ରା, ବାଲି ଦ୍ୱୀପକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ । ସେମାନଙ୍କୁ ବନ୍ଦାପନା କରି ମେଲାଣି ଦେଉଥିଲେ ସାଧବାଣୀ । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଛି ।
ରିପୋର୍ଟ ; ଗୁଣନିଧି ବେହେରା