ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ । ଏହି ବ୍ରତ ଗୋଟେ ମାସ ପର୍ଯ୍ୟନ୍ତ ଚାଲିବ । ମୁଖ୍ୟତଃ ବିଧବା ଓ ବୃଦ୍ଧା ମହିଳାମାନେ ଏହି ବ୍ରତ କରିଥାନ୍ତି । ଏନେଇ ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳିଙ୍କ ଭିଡ ଦେଖିବାକୁ ମିଳିଛି ।
ଏହି ଧାର୍ମିକ ମାସରେ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ ରହିଛି । ସେଥିଲାଗି ରାଜ୍ୟର କୋଣ ଅନୁକୋଣରୁ ହବିଷ୍ୟାଳି ମାନେ ହବିଷ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି । ସେମାନଙ୍କ ପାଇଁ ପୁରୀରେ ରାଧା ଦାମୋଦର ପୂଜା କରିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।
ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରୀଜିଉଙ୍କ ଦର୍ଶନ କରିବା ଲାଗି ଚାରି ଦ୍ୱାର ଦେଇ ଯାଇ ପାରିବେ ହବିଷ୍ୟାଳି । ଏହାସହିତ ଚାରୋଟି ମୁଖ୍ୟ ସ୍ଥାନରେ ହବିଷ୍ୟାଳି କେନ୍ଦ୍ର ଏବଂ ମହାପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ ରହିଛି ।