ନବରଙ୍ଗପୁର(ଏଟିଆର ବ୍ୟୁରୋ): ଆଜି କଂଗ୍ରେସ ତରଫରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ଡାକରା ଦିଆଯାଇଛି । ନବରଙ୍ଗପୁରରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଗତ ୧୩ ତାରିଖ ରାତିରେ ୧୬ ବର୍ଷର ଜଣେ ନାବାଳିକା ପରିଶ୍ରା କରିବାକୁ ଘରୁ ବାହାରକୁ ବାହାରିଥିଲେ । ଏହା ପରେ ସେ ଆଉ ଘରକୁ ଫରି ନଥିଲେ । ତେବେ ୧୪ ତାରିଖ ଦିନ ସକାଳୁ ଉକ୍ତ ନାବାଳିକାଙ୍କ ମୃତଦେହ ବିଲ ମଝିରେ ପଡି ଥିବାର ଦେଖିବାକୁ ମିଳିଥିଲା । ମୃତ ଦେହ ନିକଟରେ ଦୁଇଟି ଯୁବକଙ୍କ ପ୍ୟାଣ୍ଟ ପଡିଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଇଥିଲା । ତେବେ ଘଟଣାଟିକୁ ୧୨ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଫାଙ୍କା । ଏହାକୁ ନେଇ କଂଗ୍ରେସ ଆଜି ବିରୋଧ ପ୍ରର୍ଦଶନ କରୁଛି ।
ତେବେ କଂଗ୍ରେସ ନେତା ପ୍ରଦୀପ ମାଝୀ କର୍ମୀ ମାନଙ୍କୁ ହିଂସା କରିବା ପାଇଁ ଉସୁକାଉ ଥିବାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହୋଇଛି । ପ୍ରଦୀପ ମାଝୀ ଭିଡିଓରେ ଫୋନ ମାଧ୍ୟମରେ କର୍ମୀ ମାନଙ୍କୁ ପେଟ୍ରୋଲ ଓ ଡିଜେଲ ରେଡି ରହିବାକୁ କହୁଛନ୍ତି । ଏହା ସହ ଇସାରା କଲା ମାତ୍ରେ ଯାହା ପାଇବ ଜଳେଇ ଦେବାକୁ କହିବା ସହ ଯାହା ହେବ ପରେ ଦେଖାଯିବ ବୋଲି କହୁଛନ୍ତି । ତେବେ ଏହି ଭିଡିଓକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ହେବାର ଲାଗିଛି । ଏହି ଭିଡିଓ ବିଷୟରେ ପ୍ରଦୀପ ମାଝୀ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନିଜ ମନ୍ତବ୍ୟକୁ ନେଇ ସେ ଆଦୌ ଅନୁତପ୍ତ ନୁହେଁ । ଆମେ କଣ ଚୁପ ବସିବୁ, ଆମେ କଣ ଚୁଡି ପିନ୍ଧିଛୁ । ଆମକୁ ସରକାର ବାଧ୍ୟ କରୁଛି ଆଇନକୁ ହାତକୁ ନେବା ପାଇଁ । ଗାନ୍ଧୀ ନୀତିରେ ଆଉ ନ୍ୟାୟ ମିଳୁ ନାହିଁ, ଏଥର ସୁଭାଷ ନୀତି ଆପଣେଇଲୁ ବୋଲି ସେ କହିଛନ୍ତି । ଅନ୍ୟପଟେ ସାଂସଦ ରମେଶ ମାଝୀ ପ୍ରଦୀପ ମାଝୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜଣେ ରାଜ ନେତା ହିଂସା କରାଇବା ଅଶୋଭନୀୟ । ଗତ ନିର୍ବାଚନରେ ପରାଜୟର ରାଗକୁ ନେଇ ପ୍ରଦୀପ ଏପରି କରୁଛନ୍ତି ବୋଲି ରମେଶ କହିଛନ୍ତି ।