ବ୍ରହ୍ମପୁର,(ଏଟିଆରବ୍ୟୁରୋ): ଗୋଟିଏ କି’ ଦୁଇଟି ନୁହେଁ ତାଙ୍କ ନାଁରେ ରହିଥିଲା ପାଖାପାଖି ୨୫ରୁ ଅଧିକ ମାମଲା । ଆଦୌ ଧରାଛୁଆଁ ଦେଉନଥିଲା । ଏ କଥା ନୁହେଁ ଯେ, ପୁଲିସ ତାଙ୍କୁ ଖୋଜୁନଥିଲା ବରଂ ପାଗଳ କୁକୁର ଭଳି ପଛରେ ପଡିଥିଲା । ହେଲେ ସବୁବେଳେ ସେ ପୁଲିସକୁ ଚକମା ଦେଇ ଫେରାର ହୋଇଯାଉଥିଲା । ଏଣେ ତେଣେ ରହି ନିଜର ଗ୍ୟାଙ୍ଗ୍ ଅପରେଟ କରୁଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, ବାହାଦୂରୀ ମାରି କହି ବୁଲୁଥିଲା ‘ଡନ୍ କୋ ପକଡ ନା ମୁସ୍କିଲ ନେହିଁ ବଲକି ନାମୁମକିନ ହେ’ । ହେଲେ ସେଭଳି ଏକ ଡନ୍କୁ ଏବେ କାବୁ କରି ଜେଲର ଚାରିକାନ୍ଥ ଦେଖାଇଛି ପୁଲିସ । ଆମେ କହୁଛୁ ବ୍ରହ୍ମପୁର ପୂର୍ବତନ ମେୟରଙ୍କ ବାପା ରାମକୃଷ୍ଣ ଦାସ ଓରଫ ଖଲି କଥା । ଯାହାକୁ ଆଜି ଗିରଫ କରିଛି ଗୋଷାଣୀ ନୂଆଗାଁ ଥାନା ପୁଲିସ ।
ଖଲି ଗିରଫ ହେବା ପରେ ଏବେ ଟିକେ ଶାନ୍ତିରେ ନିଶ୍ୱାସ ମାରିଛି ବ୍ରହ୍ମପୁର ପୁଲିସ । ଏକ ମନ୍ଦିରକୁ ଆସୁଥିବା ବେଳେ ବାଟରେ ତାକୁ ଉଠାଇ ନେଇଛି ପୁଲିସ । ଖଲି ନାଁରେ ଗୋଷାଣୀନୂଆଗାଁ ଥାନାରେ ୧୯ଟି ୱାରେଣ୍ଟି ରହିଥିଲା । ଆଉ ସେହି ୱାରେଣ୍ଟି ଆଧାରରେ ତାକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସବୁଠୁ ବଡ଼ କଥା ହେଉଛି ବ୍ରହ୍ମପୁରର ଏକାଧିକ ଥାନାରେ ତା’ ନାଁରେ ଅଭିଯୋଗ ରହିଛି । କେଉଁଠି ଜମି ଠକେଇ ତ’ ଆଉ କେଉଁଠି ବୋମାମାଡ ଓ ଗୁଳି ମାଡ଼ କରି ପୁଲିସ ସ୍କାନରୁ ଆସିଛି ଖଲି । ଯାହାକୁ ନେଇ ପୂରା ବ୍ରହ୍ମପୁର ପୁଲିସର ମୁଣ୍ଡ ବିନ୍ଧା ହୋଇଥିଲା । ତେବେ ଢ଼େରଦିନ ହେବ ସେ ପୁଲିସକୁ ଚକମା ଦେଉଥିବା ବେଳେ ତା’ ପଛରେ ପୂରା ବ୍ରହ୍ମପୁର ପୁଲିସ ପଡିଥିଲା । ଗୋଳନ୍ଥରା ଥାନା ପୁଲିସ ବି ଖୋଜୁଥିଲା ଖଲିକୁ । ହେଲେ ହାବୁଡରେ ପଡୁନଥିଲା ଖଲି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି ଖଲି ଜମିଜମା ସଂକ୍ରାନ୍ତରେ ଅଧିକ ମୁଣ୍ଡ ଖେଳାଉଥିଲେ । କାହାକୁ କେଉଁଠି ଜମି ଦେବ ସେନେଇ ବଡ଼ ବଡ଼ ଡିଲ କରୁଥିଲା । ଦରକାର ପଡିଲେ ଜମି ମାଡି ବସି ଗୁଣ୍ଡାଗିରି ଦେଖାଉଥିଲା । ଏଥିରେ କେହି ବାଧା ଦେଉଥିଲେ ବୋମା ମାଡ଼ଠୁ ନେଇ ଗୁଳି କରିଥିବା ର ଅଭିଯୋଗ ପୁଲିସ ପାଖରେ ରହିଛି ।
କେମିତି ଧରାପଡିଲା.….
ଢ଼େରଦିନ ହେବ ପୁଲିସକୁ ଚକମା ଦେଇ ବୁଲୁଥିବା ଖଲିକୁ ଟ୍ରାକ କରାଯାଉଥିଲା । ନୂଆ କରି ଆସିଥିବା ଥାନା ଅଧିକାରୀ ସୁମିତ ସୋରେନ୍ ତା’ର ବାୟୋଡାଟା ଜାଣିବା ପରେ ଜାଲ ବିଛାଇଥିଲେ । ଖବରୀଠୁ ଖବର ମିଳିଥିଲା ମନ୍ଦିର ଆସୁଛି ଖଲି । ବାସ ଏହାପରେ ନିଜ ଟିମ୍ ସହାୟତାରେ ଖଲିକୁ ଗିରଫ କରାଯାଇଛି ।
ସାବାସ ସୋରେନ ସାର
ଯାହାକୁ ପୂରା ପୁଲିସ ଖୋଜୁଥିଲା ତାକୁ ଗିରଫ କରିଛନ୍ତି ଗୋଷାଣୀ ନୁଆଗାଁ ଥାନା ଆଇଆଇସି ସୁମିତ ସୋରେନ । ସବୁଠୁ ବଡ଼ କଥା ହେଉଛି ଥାନାରେ ଦାୟିତ୍ୱ ନେବାର ୧୫ଦିନ ହୋଇନି ଏଭଳି ଏକ ଡନକୁ ଗିରଫ କରି ସେ ଏବେ ଲୋକଙ୍କ ଆଶା ଓ ବିଶ୍ୱାସ ଜିତି ପାରିଛନ୍ତି । ସବୁଠି ଏବେ ଗୋଟିଏ କଥା ସାବାସ ସୋରେନ୍ ସାର ।