ଭୁବନେଶ୍ୱର(ଏଟିଆର ବ୍ୟୁରୋ): କୁହାଯାଏ ‘ଚାକିରୀ କରିବ ପୋଲିସ ମାଛ ଖାଇବ ଇଲିସି’ । ଏହି କଥାଟିକୁ ଯେପରି କିଛି ପୋଲିସ ଅଧିକାରୀ ଅକ୍ଷରେ ଅକ୍ଷରେ ପାଳିଥାଆନ୍ତି । ପୋଲିସ ଚାକିରି କରି ଜନସାଧାରଣଙ୍କ ହିତ କରିବା ପରିବର୍ତ୍ତେ ନିଜ କାର୍ଯ୍ୟରେ ଅବହେଳା କରିବା ସହ ନିଜ ପଦର ଅପବ୍ୟବହାର କରୁଥିବା କିଛି ପୋଲିସ ଅଧିକାରୀ ଦେଖିବାକୁ ମିଳିଥାନ୍ତି । ଏହିଭଳି ପୋଲିସ ଅଧିକାରୀଙ୍କ ବିରୋଧରେ ଆଖି ଦୃଷ୍ଟିଆ କାର୍ଯ୍ୟନୁଷ୍ଠାନ ହେଉନଥିବା କଥା ସାଧାରଣରେ ସବୁ ବେଳେ ଉଠିଥାଏ । କିନ୍ତୁ ଆଜି ଏଭଳି କିଛି ଦେଖିବାକୁ ମିଳିଛି ଯେଉଁଠି ପୋଲିସ ଅଧିକାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଘଟଣାଟି ଘଟିଛି ଭୁବନେଶ୍ୱରରେ ।
ପୋଲିସ ବିଭାଗରେ କାର୍ଯ୍ୟରତ ଥିବା ବନମାଳି ନାୟକଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର । ବନମାଳି ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟଳୟରେ ସବ୍ଇନ୍ସିପେକ୍ଟର ରୂପେ କାର୍ଯ୍ୟ କରିଆସୁଥିଲେ । ତାଙ୍କର ୪ବର୍ଷର କାର୍ଯ୍ୟକାଳ ଥିବା ବେଳେ ତାଙ୍କୁ ଦିଆଗଲା । ଏ ବାବଦରେ ଖୋର୍ଦ୍ଧା ଏସ୍ପି ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି ବନମାଳିଙ୍କ ବିଭିନ୍ନ ପ୍ରକାରର ଅଭିଯୋଗ ବାରମ୍ବାର ଆସୁଥିଲା । ଏହା ଉପରେ ବିଭାଗୀୟ ରିଭ୍ୟୁ କମିଟି ଗଠନ କରାଯିବା ସହ ଅଭିଯୋଗର ତଦନ୍ତ କରାଯାଇଥିଲା । ବିଭାଗୀୟ କମିଟିର ରିଭ୍ୟୁକୁ ଆଧାର କରାଯାଇ ଏହିଭଳି ନିଷ୍ପତି ନିଆଯାଇଛି । ପୁଲିସ ବିଭାଗରେ କାର୍ଯ୍ୟ କରିବା ପାଇଁ ସେ ବିଶ୍ୱସନୀୟତାର ହରାଇଥିବା ଏସ୍ପି କହିଛନ୍ତି । ଏହାଛଡା ଏସ୍ପି ଆଉ ଦୁଇଜଣକୁ ମଧ୍ୟ ନିଲମ୍ବନ କରିଛନ୍ତି । ଏଏସଆଇ ବୀରବଲ ଲେଙ୍କା ଓ କିଶୋର କୁମାର ବାଗଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।