ଭୁବନେଶ୍ୱର (ଏଟିଆର ବ୍ୟୁରୋ); ତାତିଲେ ଚାଷୀ । ରାଜ୍ୟର ସମସ୍ତ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚାଷୀମାନେ ରାସ୍ତା ରୋକ କରିଛନ୍ତି । ଫଳରେ ଶହ ଶହ ଗାଡି ମଟର ଅଟକି ରହିଛି । ଚାଷୀମାନଙ୍କୁ ଭୁବନେଶ୍ୱର ମନା ହୋଇଥିବାରୁ ନିଜ ଅଞ୍ଚଳରେ ଆନ୍ଦୋଳନକୁ ତିବ୍ର କରିବା ପାଇଁ ଚାଷୀମାନେ ରାସ୍ତା ରୋକ କରି ଗାଡି ମଟର ବନ୍ଦ ରଖିବା ସହିତ ଏକ ଅଭିନବ ଉପାୟରେ ଆନ୍ଦୋଳନ କରିଛନ୍ତି । ସୂଚନା ଯୋଗ୍ୟ ଗତ ଶୁକ୍ରବାର ଦିନ ଚାଷୀମାନେ ପ୍ରାଇସ,ପ୍ରେଷ୍ଟିଜ ଏବଂ ପେନସନ ଦାବିରେ ଭୁବନେଶ୍ୱରରେ ଅନଶନ କରିବା ପାଇଁ ଆସିଥିବା ହଜାର ହଜାର ଚାଷୀଙ୍କ ରାଜ୍ୟ ସରକାରଙ୍କ ଆଦେଶରେ ପୋଲିସ ଅଟକାଇଥିଲା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।
ତେବେ ଚାଷୀଙ୍କୁ ଅଟକାଇବା ସହିତ କେତେକ ଚାଷୀଙ୍କୁ ଗିରଫ ମଧ୍ୟ କରିଥିଲେ । ଏଣୁ ଶେଷରେ ତିନି ପି ଦାବୀରେ ଆସିଥିବା ଚାଷୀମାନେ ହତାସ ହୋଇ ଘରକୁ ଫେରିଥିଲେ । ଏହା ପୂର୍ବରୁ ଗତବର୍ଷ ମଧ୍ୟ ଚାଷୀଙ୍କ ବିଶାଳ ରାଲିକୁ ଭଣ୍ଡୁର କରିଥିଲା ପୋଲିସ । ଯାହା ଫଳରେ ବାରମ୍ବାର ରାଜଧାନୀ ଆସିଥିଲେ ମଧ୍ୟ ଚାଷୀଙ୍କ ଆନ୍ଦୋଳନ କରିବାକୁ ଦେଇ ନାହିଁ ପୋଲିସ । ଏଭଳି ଅଭିଯୋଗ କରିଛନ୍ତି ଚାଷୀ । ଏଣୁ ନିଜ ଅଞ୍ଚଳରେ ଆନ୍ଦୋଳନ କରିଛନ୍ତି ଚାଷୀ । ତେବେ ନେତାମାନଙ୍କ ନିର୍ବାଚନ ସମୟରେ ଗାଁରେ ପଶାଇନଦେବା ପାଇଁ ମଧ୍ୟ ଚାଷୀମାନେ ଧମକ ଦେଇଥିଲେ । ଏଣୁ ଚାଷୀମାନେ ନିଜ ହକ ପାଇଁ ଆରମ୍ଭ କରିଥିବା ଆନ୍ଦୋଳନକୁ ତିବ୍ର କରିବା ପାଇଁ ନିଜ ଅଞ୍ଚଳରେ ରାସ୍ତା ରୋକ କରି ଯାତାୟତ ବନ୍ଦ କରିଛନ୍ତି ।
ଢ଼େଙ୍କାନାଳ-ସ୍ଥାନୀୟ ଶିବ ମନ୍ଦିର ପାଖରେ ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଏକ ବିଶାଳ ସଭାର ଆୟୋଜନ ହୋଇଥିଲା । ଏଠାରେ ସରକାରଙ୍କୁ ସମାଲୋଚନା କରାଯାଇଥିଲା । ଏବଂ ପରେ ସମସ୍ତ ଚାଷୀମାନେ ଏକତ୍ରିତ ହୋଇ ୫୫ ନମ୍ବର ଜାତୀୟ ରାଜପଥକୁ ବନ୍ଦ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱରେ ହଜାର ହଜାର ଗାଡି ଅଟକି ରହିଛି ।
ବାଙ୍କୀ-ବାଙ୍କୀଜାତ ମୁଣ୍ଡିଆ ଛକଠାରେ ଶହ ଶହ ଚାଷୀ ଯୋଗ ଦେଇ ରାସ୍ତା ଅବରୋଧ କରିଥିଲେ । ଏଥିରେ ସମସ୍ତ ଚାଷୀ ନେତା ଏବଂ ସାଧାରଣ ଚାଷୀ ମଧ୍ୟ ଯୋଗ ଦେଇଥିଲେ ।
ଗଞ୍ଜାମ- ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀମାନେ ରାସ୍ତା ବନ୍ଦ ରଖିଛନ୍ତି । ସ୍ଥାନୀୟ ରମ୍ଭାଠାରେ ବହୁ ସଂଖକ ଚାଷୀ ଏକତ୍ରିତ ହୋଇ ୨୧୭ ନମ୍ବର ଜାତୀୟ ରାଜପଥ ବନ୍ଦ କରିଥିଲେ । ଫଳରେ ଜନସାଧାରଣ ବହୁ ଅସୁବିଧାର ସମୁଖୀନ ହୋଇଥିଲେ । ଏଣୁ ଖଲିକୋଟ ଥାନା ଅଧିକାରୀ,ଏସଡିପିଓ ଏବଂ ତହସିଲଦାର ଆସି ବୁଝାଶୁଝା କରିବା ପରେ ଚାଷୀମାନେ ଆନ୍ଦୋଳନରୁ ଓହ୍ଲାଇଥିଲେ ।