ଭୁବନେଶ୍ୱର (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଦେଶର ମର୍ୟ୍ୟାଦା ଜନକ ପଦ୍ମ ପୁରସ୍କାର । ଆଉ ସବୁଠାରୁ ବଡକଥା ହେଲା ଏଥର ଓଡିଶାରୁ ୧୦ ଜଣ କୃତିତ୍ୱଙ୍କୁ ଏକକାଳୀନ ଏହି ମର୍ୟ୍ୟାଦା ଜନକ ପୁରସ୍କାର ପ୍ରଦାନ କରାଯିବ । ଚଳିତ ବର୍ଷ ଓଡିଆ ଲେଖିକା ବୀଣାପାଣି ମହାନ୍ତିଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନୀତ କରାଯିବ । ତେବେ ଆସନ୍ତୁ ଜାଣିବା ଲେଖିକା ବୀଣାପାଣି ମହାନ୍ତିଙ୍କ ବିଷୟରେ କିିଛି ଜଣା ଅଜଣା କଥା ।
ବୀଣାପାଣି ମହାନ୍ତି ସାଂପ୍ରତିକ ଓଡିଆ ସାହିତ୍ୟର ଜଣେ ସୁପରିଚିତ ସାରସ୍ୱତ ଶିଳ୍ପୀ । ତାଙ୍କର ଲେଖା ଗୁଡିକ ମଧ୍ୟରେ ନବ ତରଙ୍ଗ, ତଟିନୀର ତୃଷ୍ଣା, ମଧ୍ୟାନ୍ନର ଦୃଶ୍ୟାନ୍ତର, ଆରୋହଣ, ଅଶୃ ଅନଳ ପ୍ରମୁଖ ଅନ୍ୟତମ । ଗଳ୍ପ ରଚନା କ୍ଷେତ୍ରରେ ତାଙ୍କର ବିଶେଷ ସୃଷ୍ଟି ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ସାରିଛନ୍ତି । ବୀଣାପାଣିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ସେ ୧୯୫୩ ମସିହାରେ ମାଟ୍ରିକ ୧୯୫୭ ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ ରେ ସ୍ନାତ୍ତୋକତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ ।
୧୯୬୦ ରେ ସେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା “ତନ୍ଦ୍ରାହତ’ ପ୍ରଜାତନ୍ତ୍ର ଖବର କାଗଜର ନାରୀ ମହଲରେ ପ୍ରକାଶ ପାଇଥିଲା । ସେ ୩୪ ଟିରୁ ଅଧିକ ଗଳ୍ପ ଓ ୩ ଟି ଉପନ୍ୟାସ ରଚନା କରିଛନ୍ତି । ସୂଚନାଯୋଗ୍ୟ ବୀଣାପାଣି ୧୯୬୮ ମସିହାରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨ ରେ ବିଷୁବ ପୁରସ୍କାର, ଏବଂ ୧୯୯୦ ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସେ ଅର୍ଥନୀତିରେ ଅଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇ ସାରିଛନ୍ତି ।