ଭୁବନେଶ୍ୱର (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଦେଶର ମର୍ଯ୍ୟାଦା ଜନକ ପଦ୍ମ ପୁରସ୍କାର । ଆଉ ସବୁଠାରୁ ବଡକଥା ହେଲା ଏଥର ଓଡିଶାରୁ ୧୦ ଜଣ କୃତିତ୍ୱଙ୍କୁ ଏକକାଳୀନ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯିବ । ଓଡିଶାରେ ପଥିତଯଶା ସାହିତ୍ୟକ ଶିକ୍ଷାବିତ ଲେଖକ ମନୋଜ ଦାସଙ୍କୁ ‘ ପଦ୍ମ ଭୂଷଣ’ରେ ସମ୍ମାନୀତ କରାଯିବ । ତେବେ ଏହି ଅବସରରେ ଆସନ୍ତୁ ଜାଣିବା ବିଶିଷ୍ଟ ସାହିତ୍ୟକ ମନୋଜ ଦାସଙ୍କ ବିଷୟରେ କିିଛି ଜଣାଅଜଣା କଥା-
ମନୋଜ ଦାସ, ଓଡିଆ ସାହିତ୍ୟ ଜଗତରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ଏହି ନାମଟି ହିଁ ତାଙ୍କ ପରିଚୟ ପାଇଁ ଯଥେଷ୍ଟ । ଅପୂର୍ବ ତାଙ୍କ ଶବ୍ଦ କଳା । ଗୋଟିଏ ଭାଷାରେ କହିବାକୁ ଗଲେ ସର୍ଜନାର ମହାକାଶ ହେଉଛନ୍ତି ମନୋଜ ଦାସ । କେବଳ ଓଡିଆ ନୁହେଁ ଇଂରାଜୀ ଭାଷା ସାହିତ୍ୟରେ ମଧ୍ୟ ରହିଛି ତାଙ୍କର ଅସାଧାରଣ ପ୍ରବେଶ । ଦୀର୍ଘ ସାତ ଦଶନ୍ଧି ଧରି ସେ ତାଙ୍କ କଲମ ମୁନରେ ଭାଷା ସାହିତ୍ୟକୁ କରିଛନ୍ତି ବଳିଷ୍ଠ ଓ ରୁଦ୍ଧମନ୍ତ ।
୧୯୩୪ ମସିହା ଫେବୃଆରୀ ୨୭ ରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଶଙ୍ଖାରୀ ଗ୍ରାମରେ ମଧୂସୂଦନ ଦାସ ଏବଂ କାଦମ୍ବୀନି ଦେବୀଙ୍କର କୋଳରେ ଜନ୍ମ ଗ୍ରହଣ କରନ୍ତି ମନୋଜ । ଛାତ୍ର ଅବସ୍ଥାରୁ ହିଁ ସାହିତ୍ୟ ପାଇଁ କଲମ ଧରିବା ଆରମ୍ଭ କରିଥିଲେ । ମାତ୍ର ନବମ ଶ୍ରେଣୀରେ ପାଠ ପଢିବା ବେଳେ ସେ ଗଳ୍ପ ଲେଖିବା ଆରମ୍ଭ କରି ଦେଇଥିଲେ । ପରେ ସେ ଫକୀର ମୋହନ କଲେଜରେ ତାଙ୍କର କଲେଜ ଜୀବନ ଆରମ୍ଭ କରିଥିଲେ । ମାତ୍ର ୧୪ ବର୍ଷ ବୟସରେ ତାଙ୍କ ଲିଖିତ ସମୁଦ୍ରର କ୍ଷୁଧା ପ୍ରକାଶ ପାଇଥିଲା । କଲେଜ ଜୀବନରୁ ସେ ଛାତ୍ର ରାଜନୀତିରେ ସକ୍ରିୟ ରହିଥିଲେ ମନୋଜ । ସେ ରେଭେନ୍ସା କଲେଜରୁ ଇଂରାଜୀରେ ସ୍ନାତ୍ତୋକତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ସେ ଇଂରାଜୀରେ ପ୍ରଧ୍ୟାପକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ମାତ୍ର ୪ ବର୍ଷ ଚାକରି କରି ସେ ଅଧ୍ୟାପନା ଛାଡି ଦେଇଥିଲେ । ବିଶ୍ୱର ବହୁ ପ୍ରତିଷ୍ଠିତ ପତ୍ର ପତ୍ରିକାରେ ଆଜିବି ତାଙ୍କ ସ୍ତମ୍ବ ଓ ଗଳ୍ପ ପ୍ରକାଶ ପାଉଛି ।
ଓଡିଆ ଓ ଇଂରାଜୀ ଭାଷା ସାହିତ୍ୟରେ ରହିଛି ତାଙ୍କର ବହୁ କାଳଜୟୀ କୃତି । ସେଗୁଡିକ ମଧ୍ୟରେ “ ଶେଷ ବସନ୍ତର ଚିଠି’’, ‘ମନୋଜ ଦାସଙ୍କ କଥା ଓ କାହାଣୀ’, ‘ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ’, ‘ଅମୃତ ଫଳ’ “ ଦୂର ଦୂରାନ୍ତର’ ‘ ଅନ୍ତରଙ୍ଗ ଭାରତ’ ‘ ଗୋଧୂଳିର ବାଘ” ଇତ୍ୟାଦି ରହିଛି । ତାଙ୍କର ଏହି କାଳଜୟୀ ଲେଖାପାଇଁ ତାଙ୍କୁ ୧୯୬୫ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୨ ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର , ୨୦୦୧ ରେ ପଦ୍ମଶ୍ରୀ ସମ୍ମାନ, ଅତିବଡି ଭଳି ବହୁ ସମ୍ମାନ ଜନକ ପୁରସ୍କାରରେ ସେ ପୁରସ୍କୃତ ହୋଇଛନ୍ତି ।