କୋକସରା (ଏଟିଆର ବ୍ୟୁରୋ) : କଳାହାଣ୍ଡି ଜିଲ୍ଲା କୋକସରାରେ ସଚେତନ ମଂଚ ଚାଷୀ ସଂଗଠନ କରିଛି ଅର୍ଥନୈତିକ ଅବରୋଧ । କୋକସରା ବ୍ଲକକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଏହି ଚକାଜାମ ହୋଇଥିବା କହିଛି ସଂଗଠନ । ଶହ ଶହ ଚାଷୀଙ୍କ ଦ୍ୱାରା ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯିବା ଦ୍ୱାରା ଭବାନୀପାଟଣା- ଜୟପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ସଂଗଠନ କହିଛି, ମଂଚ ଆବାହକ ଶିବ ପ୍ରଧାନୀଙ୍କ ନେତୃତ୍ୱରେ ତହସିଲ ଠାରୁ ନେଇ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ବ୍ଲକକୁ ମରୁଡି ପ୍ରଭାବିତ ଅଂଚଳ ଭାବେ ଘୋଷଣା କରିବାକୁ ଦାବିପତ୍ର ଦିଆଯାଇଛି । ହେଲେ ଏଯାଏ ତାହା ହୋଇ ନାହିଁ । ବରଂ ଏ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ପ୍ରଶାସନ । ଏହାର ବିରୋଧରେ ଆଜି ଚାଷୀମାନେ ତାତିଥିବା ବେଳେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । କୋକସରା ବ୍ଲକର ୨୨ଟି ପଂଚାୟତରେ ୮୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରୁଥିବା ବେଳେ ଏଠାରେ ଜଳସେଚନର କୌଣସି ସୁବିଧା ନାହିଁ । ଚଳିତ ବର୍ଷ ବିଳମ୍ବିତ ବର୍ଷା ଫଳରେ ପାଣି ଅଭାବରୁ ଚାଷନଷ୍ଟ ହୋଇଛି । ଏପରିକି ଏହି ବ୍ଲକରୁ ତିନି ତିନିଟି ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିବା ପରେ ବି ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ଦେଖା ଦେଇନଥିବା ଅଭିଯୋଗ ହୋଇଛି ।