ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଶ୍ୱର ବିଭିନ୍ନ ଆଶ୍ଚର୍ଯ୍ୟ ମଧ୍ୟରେ କୋଣାର୍କ ଅନ୍ୟତମ । ଏଠାରୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାକ ପର୍ଯ୍ୟଟକ ଆସିବା ସହ ଏହାର ମନୋଲୋଭା କାରୁକାର୍ଯ୍ୟକୁ ଦେଖି ଉପଭୋଗ କରିଥାନ୍ତି । ତେବେ ଏହି ପର୍ଯ୍ୟଟନ କ୍ଷେତ୍ରକୁ ଆଇକନିକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଏହା ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେଉନଥିଲେ । ପୂର୍ବରୁ କେନ୍ଦ୍ର ସରକାର ଦେଶର ୧୭ଟି ଆଇକନିକ ପର୍ଯ୍ୟଟନସ୍ଥଳୀର ତାଲିକା ଘୋଷଣା କରିଥିଲେ ମଧ୍ୟ ସେଥିରେ ଓଡିଶାର ଗୋଟିଏ ବି ସ୍ଥାନର ନା’ ନଥିଲା ।
ଯାହାଫଳରେ କେନ୍ଦ୍ର ରାଜ୍ୟକୁ ଅବହେଳା କରୁଥିବା କୁହାଯାଉଥିଲା । ତେବେ ଗତକାଲି ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ କୋଣାର୍କକୁ ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନ ମାନ୍ୟତା ପାଇବା ନେଇ ସ୍ପଷ୍ଟ କରିଛନ୍ତି । ସୂଚନାନୁଯାୟୀ, ଗତକାଲି ରାଜ୍ୟସଭାରେ ବିଜେଡି ଏମପି ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି । ଏହା ସହ ମନ୍ତ୍ରୀ ଆଇକନିକ ପର୍ଯ୍ୟଟନ କ୍ଷେତ୍ର ସଂଖ୍ୟା ୧୭ରୁ ୧୯କୁ ବୃଦ୍ଧି ପାଇଥିବା ନେଇ କହିଛନ୍ତି । ପୂର୍ବରୁ ପ୍ରକାଶ ପାଇଥିବା ୧୭ଟି ଆଇକନିକ ସ୍ଥାନ ମଧ୍ୟରେ ଓଡିଶାର ଗୋଟିଏ ବି ସ୍ଥାନ ନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଯାହା ହସ୍ତଗତ ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।