ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପବିତ୍ର କୁମାର ପୂର୍ଣ୍ଣିମା । ଏହି ଅବସରରେ ଆଜି ଗାଁ ଠୁ ସହର ଉତ୍ସବ ମୁଖର । ସକାଳୁ ସକାଳୁ କୁମାରୀ ଝିଅ ମାନେ ଭୋଗ କୁଲା ଧରି ସୂର୍ଯ୍ୟପୂଜା କରିଛନ୍ତି । ପୁରାଣ କିମ୍ବଦନ୍ତୀ ଅନୁସାରେ ଆଜି କେବଳ ଗୋଟିଏ ଦିନ ଚନ୍ଦ୍ରମା ଷୋଳ କଳାରେ ପରିପୂର୍ଣ୍ଣ ଥାନ୍ତି ।
ବିଶ୍ୱାସ ରହିଛି ଆଜି ରାତ୍ରିରେ ଚନ୍ଦ୍ରମାଙ୍କ ଠାରୁ ଅମୃତ ବର୍ଷା ହୋଇଥାଏ । ଏହି ଅବସରରେ ଆଜି ସକାଳେ କୁମାରୀ ଝିଅ ମାନେ ସୂର୍ଯ୍ୟପୂଜା ଓ ସଂନ୍ଧ୍ୟାରେ ଚନ୍ଦ୍ରମାଙ୍କ ଆଶୀର୍ବାଦ ପାଇବା ପାଇଁ ଚାନ୍ଦ ପୂଜା କରିଥାନ୍ତି । ଗାଁ ଗାଉଁଲିରେ କଥା ରହିଛି କୁମାରୀ ଝିଅମାନେ ଚାନ୍ଦ ଝଟଝଟ ରାଜ କୁମାରଙ୍କ ଭଳି ବର ପାଇବା ପାଇଁ ଆଜି ଦିନରେ କୁମାର ପୂର୍ଣ୍ଣିମା ବ୍ରତ ରଖିଥାନ୍ତି ।
ଆହୁରି ମଧ୍ୟ କୁହାଯାଏ ଆଜି ଦିନରେ ଶ୍ରାକୃଷ୍ଣ ମହାରାସ ରଚିଥିଲେ । ଆଜି ଦିନକୁ ଓଡିଶାରେ ଜହ୍ନି ଓଷା ଭାବେ ମଧ୍ୟ ପାଳନ କରାଯାଇଥାଏ । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପର୍ବ ପାଳନ କରାଯାଏ । ଏହିଦିନ ଜଗତ ଜନନୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ କରାଯାଇଥାଏ ।
ସେହିଭଳି ଆଜି ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଉପକୂଳ ଜିଲ୍ଲାରେ କୁମାର ପୂର୍ଣ୍ଣିମା ବେଶ ଧୂମଧାମରେ ପାଳିତ ହେଉଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜିର ଦିନକୁ ଅଧିକ ସ୍ମରଣୀୟ କରିବାକୁ କୁମାର ଉତ୍ସୋବର ଆୟୋଜନ କରାଯାଇଛି । ସଂନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।