ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୁଆଁର ପୁନେଇ ଜହ୍ମଲୋ ଫୁଲ ବଉଳ ବେଣୀ….ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣମୀ । ଓଡିଆ ଘରର ହିନ୍ଦୁ ପରମ୍ପରା ଓ ସଂସ୍କୃତିରେ ଯେତେ ସବୁ ପର୍ବ ରହିଛି ସେଥି ମଧ୍ୟରୁ କୁମାର ପୂର୍ଣ୍ଣିମା ବେଶ୍ ନିଆରା । କାର୍ତ୍ତିକଙ୍କ ଭଳି ଭଲ ବର ପାଇବା ଆଶାରେ କୁଆଁରୀମାନେ ଏହି ଓଷା କରିଥାନ୍ତି ବୋଲି ବିଶ୍ୱାସ ରହିଛି ।
ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି କୁଆଁରୀ ଝିଅମାନେ ଏହି ପୂଜା ଖୁବ୍ ଧୁମ୍ ଧାମରେ ପାଳନ କରନ୍ତି । ଇତି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କୁମାର ପୂର୍ଣ୍ଣିମା ପୂଜାର କିଛି ଦୃଶ୍ୟ ଦେଖିବାକୁ ମିଳିଛି । କିଛି କୁଆଁରୀ ଝିଅମାନେ ସକାଳୁ ଶଉଚ ହୋଇ ନୂତନ ବସ୍ତ୍ର ଧାରଣ କରି ସାରିବା ପରେ,ଖଈ,ନଡିଆ କଦଳୀ,ଗୁଆ, କାକୁଡି ଜହ୍ନୀ,ତାଳ,କଇଥ,ଆଖୁ ଆଦି ସାତୋଟି ଜିନିଷକୁ ନେଇ ସୂର୍ଯ୍ୟଙ୍କୁ ଆଞ୍ଜୁଳା ଟେକିଛନ୍ତିି । ସେହିପରି ସନ୍ଧ୍ୟା ସମୟରେ ଚଉଁରା ମୂଳେ ଚାନ୍ଦ ପୂଜାର ବିଧି ମଧ୍ୟ ରହିଛି ।
ଅନ୍ୟପଟେ ପୁରୀ ସହରରେ ମଧ୍ୟ ଯୁବତୀଙ୍କ ସମେତ କୁନି କୁନି ଝିଅମାନେ ରଙ୍ଗବେରଙ୍ଗର ପୋଷାକ ପିନ୍ଧି ସୂର୍ଯ୍ୟଙ୍କୁ ଆଞ୍ଜୁଳା ଟେକୁଥିବାର ଦେଖିବାକୁ ମିଳିଛି ।