ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚାକିରୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି । ଦୁବାଇରେ ଚାକିରୀ ଦେବାର ଭରଷା ଦେଇ ଯୁବକ ଯୁବତୀଙ୍କ ଠାରୁ ୮୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୁଟି ନେଇଥିବା ଅଭିଯୋଗରେ କମ୍ପାନୀ ମାଲିକଙ୍କ ଘର ଆଗରେ ବିକ୍ଷୋଭ କରିଛନ୍ତି ଠକାମୀର ଶିକାର ହୋଇଥିବା ଯୁବକ ଯୁବତୀ । ମିଡିଲରେଞ୍ଜ ସର୍ଭିସ ପ୍ରାଇଭେଟ ଲିମିଟେଡ ନାମକ କମ୍ପାନୀ ଖୋଲି ରଞ୍ଜିତ ମହାରଣା ଠକିଥିବା ଅଭିଯୋଗ ହୋଇଛି ।
ଦିନକୁ ଦିନ ବଢ଼ିଚାଲିଛି ବେକାରୀ ସମସ୍ୟା । ଏଣୁ ଏହାର ସୁଯୋଗ ନେଇ ବେକାର ଯୁବତୀଙ୍କୁ ଠକୁଛନ୍ତି ବହୁତ ସଂସ୍ଥା । ତେବେ ଏହି ରଞ୍ଜିତ ମହାରଣା ସ୍ଥାନୀୟ ବମିଖାଲରେ ଏକ ସଂସ୍ଥା ଖୋଲି ବହୁ ପ୍ରାର୍ଥୀଙ୍କ ଠାରୁ ଟଙ୍କା ନେଇ ଦୁବାଇରେ ଚାକିରୀ ଦେବା ପାଇଁ ପଠାଇଥିଲେ । ତେବେ ଫେକ ଆପଏଣ୍ଟମେଣ୍ଟ ଲେଟର ହୋଇଥିବାରୁ ଦୁବାଇ ଯିବା ପରେ ଖାଇବାକୁ ପାଇନଥିବା ଅଭିଯୋଗ କରିଛନ୍ତି ଯୁବକ ଯୁବତୀ ।
ପରିବାର ଲୋକ ଟଙ୍କା ପଠାଇବା ପରେ ଘରକୁ ଫେରିଛନ୍ତି ଯୁବକ ଯୁବତୀ । ତେବେ ଏଭଳି ବହୁ ଅସୁବିଧାରେ ସମ୍ମୁଖୀନ ହେବା ପରେ ଘରକୁ ଫେରିବା ପରେ ସମସ୍ତେ ମିଶି ବୁଧବାର ରଞ୍ଜିତଙ୍କ ଘର ଆଗରେ ଧାରଣା ଦେବା ସହ ଟଙ୍କା ଫେରସ୍ତ ପାଇବା ପାଇଁ ଅଡି ବସିଥିଲେ । ତେବେ ରଞ୍ଜିତ ପଇସା ଫେରାଇବାର ପ୍ରତିଶ୍ରୃତି ଦେଉଛନ୍ତି ।