ଗଜପତି (ଏଟିଆର ବ୍ୟୁରୋ ) ; ତିତଲି ନେଲା ଜୀବନ । ବାତ୍ୟା ତିତଲି ଦାଉରୁ ରକ୍ଷା ପାଇବା ପାଇଁ ପାହାଡ ଗୁମ୍ଫାରେ ଆଶ୍ରୟ ନେଇଥିଲେ ୫ ଟି ପରିବାର । କିନ୍ତୁ ଭାଗ୍ୟକୁ ପାହାଡ ଧସିବା କାରଣରୁ ଚାଲିଗଲା ୧୨ ଟି ଜୀବନ । ଏଭଳି ଅଭାବନୀୟ ଘଟଣା ଗଜପତି ଜିଲ୍ଲା ରାୟଗଡ ବ୍ଲକ ରଙ୍ଗବାଡ ପଞ୍ଚାୟତର ବାରଘର ଗ୍ରାମରେ ଘଟିଛି । ତେବେ ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ଜଣା ପଡିଛି । ସେପଟେ ଏବେ ବି ଆଉ ୪ ଜଣ ନିଖୋଜ ଅଛନ୍ତି ।
ସୁଚନା ଅନୁସାରେ , ବାତ୍ୟା ଆସୁଥିବା ଜାଣି ସେହି ଗ୍ରାମର ୫ ଟି ପରିବାରର ଲୋକେ ନିକଟରେ ଥିବା ପାହାଡର ଗୁମ୍ଫାକୁ ଆଶ୍ରୟ ନେବା ପାଇଁ ଚାଲିଯାଇଥିଲେ । କିନ୍ତୁ ତିତଲି ପ୍ରଭାବରୁ ପାହାଡଟି ଧସେଇ ଯିବା କାରଣରୁ ୫ ଟି ପରିବାରର ୧୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ନିଖୋଜ ହୋଇଛନ୍ତି । ତେବେ ମୃତକ ମାନେ ହେଲେ ବାରଘର ଗ୍ରାମର ଦଣ୍ଡପାଣି ଭୂଁୟା, ସୁମିତ୍ରା ଭୂଁୟା,ସୋମନାଥ କାଥରେନ୍, ଜଗନ କାଠି, ମୀନାକ୍ଷୀ ଶବର, ଦିଲି ଶବର, ଗଙ୍ଗାଧର ବେହେରା, ଦିନେଶ ଭୂଁୟା, ଲାଲୁ ବେହେରା, ଜୟଚନ୍ଦ୍ର ଭୂଟାନ, ସୁରମତୀ ଜାନି ଓ ଚମ୍ପା ଭୂଟାନ । ୪ ଜଣ ନିଖୋଜଙ୍କ ମଧ୍ୟରେ କାହାର ବି ଏଯାଏ ପତ୍ତା ମିଳିନି । ସେପଟେ ଗଜପତି ଜିଲ୍ଲାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ପକ୍ଷରୁ ଭୃଗୁ ବକ୍ସିପାତ୍ର ମୃତ୍ୟୁ ସମ୍ବନ୍ଧୀୟ ଖବର ଟ୍ୱିଟ କରି ଜଣାଇଛନ୍ତି ।