ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର । ଏହି ଅବସରରେ ଆଜି ବିଭିନ୍ନ ଶୈବ ପୀଠରେ ସକାଳ ସକାଳୁ ଭିଡ ଦେଖିବାକୁ ମିଳିଛି । ଆଜି କେତେକ ସ୍ଥାନରେ ସକାଳୁ ସକାଳୁ ଲୋକେ ଡଙ୍ଗା ମଧ୍ୟ ଦେଇଛନ୍ତି । ଆଜି ସକାଳୁ ଆଠ ଗଡର ଧବଳେଶ୍ୱରରେ ମଧ୍ୟ ଭିଡ ହୋଇଛି । ସେହିଭଳି ଜଗତସିଂହପୁରର ଗୋରେଖ ନାଥ, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥିଲା । ଅନ୍ୟପଟେ କେତେକ ସ୍ଥାନରେ ଆଜିଠାରୁ ମଧ୍ୟ ବାଲିଯାତ୍ରା ଆରମ୍ଭ ହୋଇଛି । ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଧର୍ମ ମାସ ଭାବେ ଗ୍ରହଣ କରାଯାଇଥାଏ । ମାସ ସାରା ଲୋକମାନେ ଆମିଶ ଓ ପିଆଜ ରଶୁଣ ତ୍ୟାଗ କରିଥାନ୍ତି । ବିଧବା ମହିଳାମାନେ ହବିଷ କରିଥାନ୍ତି ।
ବିଶ୍ୱାସରେ ଅଛି କାର୍ତ୍ତିକ ମାସ ସାରା ଯଦି କେହି ବ୍ରତ ନକରି ପାରୁଛନ୍ତି , ସେମାନେ ଯଦି ପଞ୍ଚୁକ ପାଳନ କରିଛନ୍ତି ତେବେ ସମାନ ପୁଣ୍ୟ ଅର୍ଜନ କରିପାରିବେ । ପୁରାଣ ଅନୁସାରେ ଯେତେବେଳ ପିତାମହ ଭୀଷ୍ମ ଶର ସର୍ୟ୍ୟାରେ ଥିଲେ ସେତେବେଳେ ସେ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ଏଥିରେ ପ୍ରଶନ୍ନ ହୋଇଥିଲେ । ଶ୍ରୀକୃଷ୍ଣ କହିଥିଲେ ଆଜିଠାରୁ ପୂର୍ଣ୍ଣିମା ପର୍ୟ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘ୍ୟ କରିବେ ସେମାନେ ମୋତେ ସନ୍ତୁଷ୍ଟ କରିବେ ।