ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଟିକେ ଓଲମ ବିଲମ ହେଲେ କଥା ସରିଲା । ଭାଗ୍ୟ ଭଲ ଥିଲେ ଗୋଡ ହାତ ଭାଙ୍ଗିବ, ନଚେତ ସିଧା ଉପରକୁ ଯିବାଟା ଥୟ । କେହି ବି ବଞ୍ଚାଇ ପାରିବେନି । କାରଣ ରାସ୍ତାଘାଟରେ ବସିଛି ଏବେ ଯମ ଯନ୍ତା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଯନ୍ତା ଆଉ କେହି ନୁହେଁ ବରଂ ବସାଇଛନ୍ତି ଖୋଦ ରାଜ୍ୟ ସରକାର । ଉଦ୍ଦେଶ୍ୟ କେବଳ ନିଜର ପ୍ରଚାର ପ୍ରସାର କରିବା । ଆଉ ଏଥିରେ ଭରପୂର ସହଯୋଗ କରିଛି କମିଶନରେଟ ପୁଲିସ । ଏହା ବେଆଇନ ଜାଣିଥିଲେ ବି କମିଶନରେଟ ପୁଲିସ ଆଖି ବୁଜି ପରିମିଶନ ଦେଇ ଦେଇଛି । ଆପଣ ଭାବୁଥିବେ କେଉଁ ଯନ୍ତା? ଆମେ କହୁଛୁ ରାସ୍ତାଘାଟରେ ଝଲସୁଥିବା ଏଲଇଡି ହୋଡିଂ କଥା ।
ଗୋଟିଏ କି’ ଦୁଇଟି ନୁହେଁ ଅଧିକାଂଶ ଛକରେ ଏବେ ଖଞ୍ଚାଯାଇଛି ଏହି ଏଲଇଡି ହୋଡିଂ । କେତେବେଳେ ସେଥିରେ ବିଜ୍ଞାପନ ତ’ ଆଉ କେତେବେଳେ ସରକାରଙ୍କ ଗୁଣଗାନ କରାଯାଉଛି । ଯାହା ଏବେ ଦୁର୍ଘଟଣାର ପ୍ରମୁଖ କାରଣ ହୋଇଛି । ଏକଥା ଆମେ ନୁହେଁ ବରଂ ଅଭିଯୋଗ ଉଠାଇଛନ୍ତି ରାଜଧାନୀବାସୀ । ଦିନ ବେଳା ତ’ ଯେନତେନ ଚଳିଯାଉଛି କିନ୍ତୁ ସଞ୍ଜ ନଇଁଲେ ପରିସ୍ଥିତି ଅସମ୍ଭାଳ ହୋଇପଡୁଛି । ମୁହଁକୁ ସାତ ରଂଗର ଲାଇଟ ଏମିତି ମାଡ଼ ହେଉଛି ଯେ, ଗାଡି ଚାଳକଙ୍କୁ ଅନ୍ଧାରକଣା ଭଳି ଲାଗୁଛି । ଫଳରେ ହରଦମ ଛୋଟମୋଟ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି ।
ହେଲେ ଦୁର୍ଭାଗ୍ୟ ଏଥିପ୍ରତି କିନ୍ତୁ କାହାରି ନଜର ପଡୁନି । ଅଭିଯୋଗ ହୋଇଛି ନିଜର ଫାଇଦା ପାଇଁ ସାଧାରଣ ଲୋକଙ୍କୁ ମରଣମୁହଁକୁ ଠେଲି ଦେଉଛନ୍ତି ରାଜ୍ୟ ସରକାର । ଆଇନ କହୁଛି ରାଜପଥ ଉପରେ ଖାସ କରି ରାତ୍ରି ସମୟରେ କୌଣସି ଡିଜିଟାଲ ବିଜ୍ଞାପନ ଲାଗି ପାରିବ ନାହିଁ । ଏହି ନିୟମକୁ କିନ୍ତୁ ଦଳି ଚକଟି ଅଳିଆ ଗଦାରେ ପକାଇ ଦେଇଛି କମିଶନରେଟ ପୁଲିସ । ଏଥିପାଇଁ କଡ଼ା ଆଇନ ଥିଲେ ବି ତାହା ନାଲିଫିତା ତଳେ ଚପିଯାଇଛି । ଏହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କିଛିବର୍ଷ ତଳେ ରାମନ୍ଦିର ଟ୍ରାଫିକ ଛକରେ ଥିବା ଏଭଳି ଏଲଇଡି ହୋଡିଂକୁ ନେଇ ସେତେବେଳର ଟ୍ରାଫିକ ଏସିପି ନିର୍ମଳ ଶତପଥୀ ପ୍ରତିବାଦ କରିଥିଲେ । ଯାହା କିଛିକ୍ଷଣ ସଫଳ ମଧ୍ୟ ହୋଇଥିଲା । କିନ୍ତୁ ତାଙ୍କ ବଦଳି ପରେ ବେଆଇନ ଭାବେ ଏଲଇଡି ଲଗାଇଦିଆଗଲା ।
ଯାହା ଆଜି ପର୍ଯ୍ୟନ୍ତ ଝଲସୁଛି । ଏଥିପାଇଁ କେତେ ଯେ ଦୁର୍ଘଟଣା ଘଟିଛି ତାହାର ରେକର୍ଡ ହୁଏତ ପୁଲିସ ପାଖରେ ନଥିବ । ଏବେ ପୁଣି ରାଜଧାନୀର ସବୁ ଗଳିକନ୍ଦିରେ ଏହି ଏଲଇଡି ବ୍ୟବସ୍ଥା କରାଯିବା ଘଟଣା ସମସ୍ତଙ୍କୁ ଅଡୁଆରେ ପକାଇଛି । ପ୍ରଶ୍ନ ଉଠୁଛି ସାଧାରଣ ଲୋକଙ୍କ ଜୀବନକୁ ବାଜି ଲଗାଇ କାହା ସ୍ୱାର୍ଥରେ ଏହି ବ୍ୟବସ୍ଥା କରାଯାଇଛି? କାହିଁକି ସବୁଦେଖି ଅନ୍ଧ ସାଜିଛି କମିଶନରେଟ ପୁଲିସ? କେବେ ହଟିବ ଏହି ମରଣଯନ୍ତା? ଗୋଟିଏ ପଟେ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ହରଦମ ତୟାର ଥିବା କହି ଡିଣ୍ଡିମ ପିଟୁଥିବା ଟ୍ରାଫିକ ପୁଲିସ ଏତେ ବେଳକୁ ଚୁପ କାହିଁକି?
ହେଲେମେଟ ନପିନ୍ଧିଲେ ଜୀବନ ଚାଲିଯିବାର ଦ୍ୱାହି ଦେଇ ରାଜସ୍ୱ ଭରୁଥିବା ବେଳେ ଏହି ଏଲଇଡି ବିଜ୍ଞାପନ କ’ଣ ଲୋକଙ୍କ ଜୀବନକୁ ବିପଦ ନୁହେଁ କି? ଆଶା ଓ ବିଶ୍ୱାସ ରଖିବୁ ଏହା ଉପରେ ନଜର ପକାଇବେ ବରିଷ୍ଠ ଅଧିକାରୀ । ନଚେତ ଏହି ଏଲଇଡି ହୋଡିଂ ଲାଗି କେଉଁ ବଡ଼ପଣ୍ଡାଙ୍କ ଜୀବନ ନଯିବ ତାହା କିଏ କହିବ….