ନବରଙ୍ଗପୁର ( ଏଟିଆର ବ୍ୟୁରୋ): ପୁଣି ଯୌତୁକ ନେଲା ଜୀବନ । ଯୌତୁକ ଜୁଇରେ ଜଳିଗଲା ବୋହୂ । ଜାତି, ଯାତକ, ଯୌତୁକ ଉପରେ ରୋକ ଲଗାଇବା ପାଇଁ ସରକାର ଯେତେ ନୂଆ ନିୟମ ଆଣିଲେ, ଯେତେ ସଚେତନ କଲେ ମଧ୍ୟ କିଛି ଲୋକ ମାନିବାକୁ ନାରାଜ । ସମାନ୍ୟ କେଇଟା ଯୌତୁକ ପାଇଁ ଗୋଟିଏ ନୀରିହ ଜୀବନ ସବୁବେଳେ ବଳି ପଡୁଛି । ପୁଣି ଏମିତି ଏକ ଯୌତୁକ ଜନିତ ମୃତ୍ୟୁ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ବାହାଘର , ଶାଶୁଘର , ସ୍ୱାମୀ ସୁଖ କ’ଣ ଜାଣିବା ପୂର୍ବରୁ ଜଣେ ନବ ବଧୂଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା କାକୁଡ଼ିଆମ୍ବ ଗ୍ରାମର ଧର୍ମାନନ୍ଦ ନାୟକ ଗତ ମେ ୧ ତାରିଖରେ କଳାହାଣ୍ଡିର ଚିଚିଆ ଗାଁର ରଶ୍ମିତା ସତନାମୀଙ୍କୁ ବିବାହ କରିଥିଲେ। ବିବାହ ବେଳେ ରଶ୍ମିତା ଯେଉଁ ଯୌତୁକ ଆଣିଥିଲେ ତାହା ଶାଶୁଘର ଲୋକଙ୍କ ପସନ୍ଦ ଆସି ନଥିଲା । ଏମିତି କି ଅଧିକ ଯୌତୁକ ଆଣିବା ପାଇଁ ଶାଶୁଘର ଲୋକ ସବୁବେଳେ ବୋହୂ ଉପରେ ଚାପ ପକାଉଥିଲେ ।
ଶାରୀରିକ ମାନସିକ ଯନ୍ତ୍ରଣା ମଧ୍ୟ ଦେଉଥିବା ଅଭିଯୋଗ କରିଛନ୍ତି ରଶ୍ମିତାଙ୍କ ପରିବାର ଲୋକ । ରଶ୍ମିତାଙ୍କ ପରିବାର ଲୋକଙ୍କ କହିବା କଥା ଗତକାଲି ରଶ୍ମିତାଙ୍କ ଦେହ ଖରାପ ଥିବା ନେଇ ତାଙ୍କୁ ଖବର ଦିଆଯାଇଥିଲା ମାତ୍ର ପରିବାର ଲୋକ ଆସି ଦେଖନ୍ତି ତ ରଶ୍ମିତାଙ୍କର ମୃତ୍ୟୁ ହୋଇଛି । ଫ୍ୟାନରେ ରଶି ଲଗାଇ ରଶ୍ମିତା ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଛନ୍ତି ।
ଯାହାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ରଶ୍ମିତାଙ୍କ ବାପଘର ଲୋକେ । ହତ୍ୟା ପରେ ଏହାକୁ ଆତ୍ମହତ୍ୟାର ରୂପ ଦିଆ ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ପଚରାଉଚରା ଆରମ୍ଭ କରିଛି ।