ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆରପାରିରେ ନୃତ୍ୟାଙ୍ଗନା ତଥା ଓଡିଶୀ ନୃତ୍ୟଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି । ଗତକାଲି ରାତି ୧୧ଟା ୧୦ରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ଲକ୍ଷ୍ମୀପ୍ରିୟା ମହାପାତ୍ର ଏକାଧାରରେ ଜଣେ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଥିଲେ ।
ଲକ୍ଷ୍ମୀଧର ମହାପାତ୍ର ବହୁବିଧ ରୋଗରେ ପୀଡିତ ଥିଲେ । ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ନେଇ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧାରେ ଜନ୍ମଲାଭ କରିଥିବା ଲକ୍ଷ୍ମୀପ୍ରିୟା ପରବର୍ତ୍ତୀ ସମୟରେ ଅନ୍ନପୂର୍ଣ୍ଣା-ଏ ଥିଏଟରରେ ନିଜ ନୃତ୍ୟର ଆବିଷ୍କାର କରିଥିଲେ ।
୧୯୪୭ରେ ପ୍ରଥମେ ସେ ମଞ୍ଚରେ ଗୋଟିପୁଅ ନୃତ୍ୟ କରିଥିଲେ । ଏହାବାଦ୍ ସେ ଅନେକ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି, ଯାହାକି ଇତିହାସ ରଚନା କରିଛି । ସେଥିରେ ରହିଛି ସୂର୍ୟ୍ୟମୁଖୀ, ମାଣିକ ଯୋଡ଼ି, ଅମଡ଼ା ବାଟ, ମଲାଜହ୍ନ ଆଦି ।ଓଡ଼ିଶୀ ନୃତ୍ୟର ଗୁରୁମା କହିଲେ ତାଙ୍କୁ ବୁଝାଏ ।
ନୃତ୍ୟଶିଳ୍ପୀ ତଥା ବିଶିଷ୍ଟ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଦେହାନ୍ତ ହୋଇଥିବା କଥା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ବୋଲି ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି । ଲକ୍ଷ୍ମୀପ୍ରିୟାଙ୍କ ଅମର ଆତ୍ମାର ସଦଗଦି କାମନା ସହ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।