ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ନୂଆ ମୋଟରଯାନ ଆଇନ ଆସିବା ପରେ ଏବେ ଆରଟିଓ ଅଫିସରେ ପ୍ରବଳ ଭିଡ । ଅନ୍ୟପଟେ ଏନେଇ ଅନ୍ୟ ଜିଲ୍ଲାମାନଙ୍କରେ ଚାକିରି କରିଥିବା ଲୋକମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଚାକିରି ଛାଡି ଘରକୁ ଦୌଡିବାକୁ ପଡୁଛି । ନୂଆ ମୋଟରଯାନ ସଂଶୋଧନ ଆଇନ ଅନୁସାରେ ଜଣେ ଚାହିଁଲେ ରାଜ୍ୟର ଯେ କୌଣସି ଆରଟିଓ ଅଫିସରେ ଲାଇସେନ୍ସ , ଗାଡି ପଞ୍ଜିକରଣ କାରି ପାରିବେ ।
ଏହି ନୂଆ ମୋଟରଯାନ ଆଇନକୁ କାର୍ଯ୍ୟକାରୀ କରିବାକୁ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ସର୍କୁଲାର ଜାରି କରିଛନ୍ତି ରାଜ୍ୟ ପରିବହନ କମିସନର। ରାଜ୍ୟ ଭିତରେ କୌଣସି ଆରଟିଓ ଅଫିସରୁ ଲର୍ଣ୍ଣିଂ ଲାଇସେନ୍ସ ,ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇପାରିବ ବୋଲି କମିସନର ଜଣାଇଛନ୍ତି। ତୁରନ୍ତ ଏହି ସୁବିଧା ଲୋକଙ୍କୁ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଗୋଟିଏ ସ୍ଥାନରେ ଗାଡ଼ି କିଣା ହୋଇଥିଲେ ବି ଗାଡ଼ି ମାଲିକ ନିଜର ପରିଚୟ ଓ ଠିକଣା ପ୍ରମାଣ ପତ୍ର ଦାଖଲ କରି ରାଜ୍ୟର ଯେ କୌଣସି ଆରଟିଓ ଅଫିସରେ ଗାଡ଼ିର କାଗଜପତ୍ର କରିପାରିବେ ବୋଲି ସୂଚନା ଦେଇଛନ୍ତି । ଏହି ନିର୍ଦେଶାବଳୀ ତୁରନ୍ତ ସବୁ ଆରଟିଓମାନେ କାର୍ୟ୍ୟକାରୀ କରିବାକୁ ସର୍କୁଲାର ଜାରି ହୋଇଛି ।