କଟକ ( ଏଟିଆର ବ୍ୟୁରୋ): ବୟସ ୧୦୮ । ଜୀବନ ସନ୍ଧ୍ୟାରେ ବି ମୃତ୍ୟୁ ତାଙ୍କ ଠାରୁ ଅପହଞ୍ଚ ଦୂରରେ । ସତେ ଯେମିତ ମୃତ୍ୟୁ ଭୁଲି ଯାଇଛି ତାଙ୍କରି ଠିକଣା । ଆମେ କହୁଛୁ କଟକ ମାଲଗୋଦାମ ଓଭର ବ୍ରିଜ ତଳେ ଜରାଜୀର୍ଣ୍ଣ ଜୀବନ ବିତାଉଥିବା ବାଲେଶ୍ୱର ଅଞ୍ଚଳର ପୁନି ନାୟକଙ୍କ କଥା । ବୟସ ବେଳୁ ହିଁ ତାଙ୍କ ଜୀବନ ସଂଘର୍ଷ ମୟ । ବିବାହର ମାତ୍ର କେଇଟା ବର୍ଷ ଅର୍ଥାତ ପୁଅକୁ ମାତ୍ର ସାତ ବର୍ଷ ହୋଇଥିବା ବେଳେ ସ୍ୱାମୀ ହାତ ଛାଡି ଚାଲି ଯାଆନ୍ତି ଆର ପାରିକୁ । ଆଉ ତା ପରେ ପୁନିଙ୍କ ଜୀବନକୁ ମାଡିଆସେ ଦୁଃଖର ନଦୀ । ସ୍ୱାମୀଙ୍କ ମୃତ୍ୟୁ ପରେ ଘରର ଆର୍ଥିକ ଅବସ୍ଥା ଖରାପ ହୋଇଯାଏ । ଏମିତିକି ପେଟ ପାଇଁ ଦାନାର ବି ଅଭାବ ପଡେ ।
ଶେଷରେ ପୁଅ ମୁହଁରେ ଆହାର ଦେବାକୁ ସେ ଚାଲି ଆସନ୍ତି ସେତେବେଳର କଟକ । ହେଲେ ସେତେବେଳେର ପୁରୁଷ ପ୍ରଧାନ ଦେଶରେ କିଏ ବା କାହିଁକି ଗୋଟେ ମହିଳାଙ୍କୁ କାମ ଦେବ । କାମ ଟିଏ ପାଇବା ପାଇଁ ସାତ ବର୍ଷର ଚୁଆଟାକୁ ଧରିୂ ପୁରା କଟକ ସହର ଘୁରି ବୁଲନ୍ତି ପୁନି । ହେଲେ କେହି ହେଲେ ଜଣେ ତାଙ୍କୁ କାମ ଦେଲେ ନାହିଁ । ମହିଳା ଟିଏ କେତେବା ଏଠି ସେଠି ରାତି କାଟିବ । ଶେଷରେ ଉପାୟ ଶୂନ୍ୟ ହୋଇ ମାଲଗୋଦାମ ଓଭର ବ୍ରିଜ ତଳେ ମୁଣ୍ଡ ଗୁଞ୍ଜିବା ପାଇଁ ପାଲ ଟାଣି କେବିନ ଟିଏ କଲେ । ଏହି ଭିତରେ ବର୍ଷ ପରେ ବର୍ଷ ବିତି କେତେ ଯେ ବର୍ଷ ବିତି ଗଲାଣି ତାର ହିସାବ ନାହିଁ । ଯୁବା ବୟସରୁ ସେ ବୟସର ଶେଷ ପାହାଚରେ ପହଞ୍ଚି ଲେଣି ହେଲେ ଆଜି ବି ମା ପୁଅ ସେଇଠି ସେମିତି ରହୁଛନ୍ତି ।
ସେତେବେଳର ସେଇ କଳା ଧଳା କଟକ ସହର ଏବେ ଚିକିମିକି ଆଲୁଅ ସହ ବଡବଡ ଅଟାଳିକାରେ ଝଟକୁଛି । ପୁଅ ବି ବଡ ହୋଇ ବୟସ ହେଇ ଗଲାଣି । ହେଲେ କଣ ହେବ କଥାରେ ଅଛି ଦୁଃଖ ସବୁବେଳେ ବୋଝ ଉପରେ ନଳିତା ବିଡା । ପୁଅ ବିଶ୍ୱମ୍ଭର ଜନ୍ମରୁ ଦିବ୍ୟାଙ୍ଗ । ତଥାପି ନିଜ ବଳରେ ରିକସାଟିଏ କିଣିଛନ୍ତି ଅସଜ ଗୋଡରେ ଚାଇବାକୁ । ସେଥିରେ କିଛି ବର୍ଷ ଗୋଟେ ପ୍ରକାର ଖାଇବା ଯୋଗାଡ ହେଇଗଲା । ହେଲେ ଏବେ ଆଉ ସେତେକ ବି ନାହିଁ । ଆଜିର ଏ ବ୍ୟସ୍ତ ବହୁଳ ଆଧୁନିକ ଯୁଗରେ କିଏ ଅବା ତାଙ୍କ ରିକସାରେ ବସିବ । ଏବେ ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇଗଲାଣି ମା ପୁଅଙ୍କ ପାଇଁ । ସ୍ଥାନୀୟ ଲୋକଙ୍କ ସହାୟତା ଓ ସରକାରୀ ଭତ୍ତାକୁ ଭରଷା କରି ଜୀବନ ବିତାଉଛନ୍ତି ପୁନି ଏବଂ ତାଙ୍କ ପୁଅ । ବର୍ଷା ଖରା କାକରକୁ ପିଠି କରି ନେଇ ଜରିପାଲ ତଳେ କଟୁଛି ଜୀବନ ।