ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବ୍ୟାପି ଚାଲିଛି କରୋନ ମହାମାରୀ । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଇତିମଧ୍ୟରେ ଆଜି ସକାଳ ୭ଟାରୁ ମାର୍ଚ୍ଚ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ୫ ଜିଲ୍ଲା ଓ ୮ଟି ସହରକୁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ ଡାଉନ୍ ଘୋଷଣା କରାଯାଇଥିବା ଜିଲ୍ଲା ମଧ୍ୟରେ କଟକ, କେନ୍ଦ୍ରାପଡା , ଖୋର୍ଦ୍ଧା, ଗଞ୍ଜାମ , ଅନୁଗୁଳ ରହିଥିବା ବେଳେ ସହର ମଧ୍ୟରେ ପୁରୀ, ଭଦ୍ରକ, ଯାଜପୁର,ରାଉଲକେଲା, ବାଲେଶ୍ୱର, ଝାରସୁଗୁଡା, ସମ୍ବଲପୁର ଆଦି ରହିଛି ।
ଅତି ଆବଶ୍ୟକ ନପଡିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ, ଏନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଅବସରରେ କ’ଣ ଖୋଲା ରହିବା ଆଉ କ’ଣ ବନ୍ଦ ।
ରେଲୱେ, ବିମାନ ସେବା ଜାରି ରହିବ । ସେହିଭଳି ପ୍ରିଣ୍ଟ ମିଡିଆ, ଇଲୋକ୍ଟ୍ରନିକ୍ସ ମିଡିଆ, ସୋସିଆଲ ମିଡିଆ, ମୋବାଇଲ, ଇଂଟରନେଟ, ଡାକ ସେବା ଆଦି ଜାରି ରହିଥିବା ବେଳେ ପ୍ରଶାସନିକ ଅଫିସ୍ , ବ୍ଲକ ଅଫିସ୍, ଏଟିଏମ, ତହସିଲ୍ ଅଫିସ୍, ପେଟ୍ରୋଲ ପମ୍ପ, ଗ୍ୟାସ ଏଜେନ୍ସି, ମେଡିସିନ୍ ଦୋକାନ ଆଦି ଖୋଲା ରହିବ । ଏହାବ୍ୟତିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗ୍ରୋସରୀ ଅଣ୍ଡା, ମାଛ , ମାଂସ ଦୋକାନ ଖୋଲା ରହିବ ।
ଅନ୍ୟପଟେ ପବ୍ଲିକ ଟାନ୍ସପୋର୍ଟ ସେବା, ସମସ୍ତ ଦୋକାନ, ଅଫିସ୍, ଫ୍ୟାକ୍ଟ୍ରୀ, ୱାର୍କସପ୍, ଗୋଦାମ ଆଦି ବନ୍ଦ ରହିବ । ଏହି ନିୟମକୁ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।