ଆଠଗଡ(ଏଟିଆର ବ୍ୟୁରୋ): ଅପରାଧ ରୋକିବା ପାଇଁ ପୋଲିସ ପ୍ରଶାସନ ଦ୍ୱାରା ବିଭିନ୍ନ ପ୍ରକାରର ଉଦ୍ୟମ କରାଯାଉଛି । କେଉଁଠି ଛକ ମାନଙ୍କରେ ସିସିଟିଭି ଲାଗାଯାଉଛି ତ ଆଉ କେଉଁଠି ଚେକିଙ୍ଗ କରାଯାଉଛି । ପୋଲିସ ପ୍ରଶାସନ ଦ୍ୱାରା ଦିନ ରାତି ପାଟ୍ରୋଲିଙ୍ଗ କରାଯାଉଥିବାର କୁହାଯାଉଛି । ହେଲେ ଏତେ ସୁରକ୍ଷା ବ୍ୟବସ୍ଥା ଥାଇକି ମଧ୍ୟ ଅପରାଧି ମାନେ କିଭଳି ଅପରାଧ ଘଟାଉଛନ୍ତି ତାହା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ ପୁରୁଣା କଟକ- ସମ୍ବଲପୁର ରାସ୍ତାର ହରଡାଗହିରି ଛକ ନିକଟରେ ଆଜି ଜଣେ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ ହୋଇଛି । ସୂଚନା ଅନୁସାରେ ମହିଳା ଜଣଙ୍କ ନିଜ ପୁତୁରାଙ୍କ ସହ ନରସିଂହପୁର ସିଆରିଆ ଗାଁରୁ କଟକ ଯାଉଥିଲେ । ଏହି ସମୟରେ ଏକ ଲାଲ ରଙ୍ଗର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କ ପିଛା କରିଥିଲେ । ହରଡାଗହିରି ଛକ ନିକଟରେ ଦୁର୍ବୃତ୍ତ ମାନେ କିଛି ତରଳ ପଦାର୍ଥ ମହିଳାଙ୍କ ମୁହଁରେ ସ୍ପ୍ରେ କରି ତାଙ୍କ ସୁନା ଚେନକୁ ଟାଣି ନେଇଥିଲେ । ଫଲରେ ତାଙ୍କ ପୁତୁରା ଚଲାଉଥିବା ବାଇକଟି ଭାରସାମ୍ୟ ହରାଇ ଉଭୟ ତଲେ ପଡିଯାଇଥିଲେ ।
ଏହା ପରେ ଲୁଟେରା ମାନେ ସେହି ତରଳ ପଦାର୍ଥକୁ ମହିଳାଙ୍କ ପୁତୁରା ମୁହଁରେ ପକାଇବାକୁ ଚେଷ୍ଟା କରିଥିଲେ । ହେଲେ ସେ ହେଲମେଟ୍ ପିନ୍ଧିଥିବାରୁ ତାଙ୍କ ମୁହଁରେ ସ୍ପ୍ରେ ପଡିନଥିଲା । ଏହି ସମୟରେ ମହିଳାଙ୍କ ଠାରୁ ଦୁର୍ବୃତ୍ତ ମାନେ ଅନ୍ୟ ସୁନା ଗହଣା ଲୁଟି ନେଇଥିଲେ । ଗାଡିରୁ ପଡିଯିବା ଫଳରେ ମହିଳା ଆହତ ହୋଇଥିଲେ । ତାଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଠାରୁ ଗୋଟେ ସୁନା ହାର, ମଙ୍ଗଳ ସୂତ୍ର ଓ କାନଫୁଲ ଲୁଟି ନେଇଛନ୍ତି ଲୁଟେରା ମାନେ । ଏନେଇ ଆଠଗଡ ଥାନାରେ ମହିଳା ଜଣଙ୍କ ମାମଲା ରୁଜୁ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।