ପୁରୀ (ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣମା । ଏଥିପାଇଁ ଗାଁ ଠାରୁ ସହର ସବୁ ଚଳଚଞ୍ଚଳ ହୋଇଉଠିଛି । ଅନ୍ୟପଟେ ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ଦୋଳ ପୂର୍ଣ୍ଣମା ଅବସରରେ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହେଉଛି । ଆଜି ଭକ୍ତଙ୍କୁ ମହାପ୍ରଭୁ ରାଜ ରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେବେ । ଶ୍ରୀମନ୍ଦିରରେ ଫାଲଗୁଣ ଦଶମୀରୁ ପ୍ରତିପଦା ଯାଏଁ ଦୋଳ ଉତ୍ସବ ପାଳନ କରାଯାଇଥାଏ । ସେହିପରି ଗତକାଲି ମେଣ୍ଡାପୋଡି ନୀତି ଅନୁଷ୍ଠିତ ହୋଇଯାଇଛି ।
ଆଜି ପୂର୍ଣ୍ଣମା ଅବସରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମାନେ ଦୋଳ ବେଦୀକୁ ବିଜେ କରିବା ସହ ଫଗୁ ଓ ଅବିର ଖେଳିବେ । ଆଜି ସକାଳୁ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଶେଷ ହେବା ପରେ ମହାପ୍ରଭୁ ଭକ୍ତଙ୍କୁ ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେବେ । ଏହାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ବିରାଜମାନ ହୋଇ ଶ୍ରୀମନ୍ଦିର ବେଢ଼ା ୭ ଥର ପରିକ୍ରମା କରିବେ। ଦୋଳବେଦୀ ତଳେ ଓ ଉପରେ ସାତଘେରା ବୁଲିବା ପରେ ଦୋଳରେ ବସି ଝୁଲିବେ। ପରେ ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ସଂପନ୍ନ ହେବ।