ମାଲକାନଗିରି ( ଏଟିଆର ବ୍ୟୁରୋ): କୁହାଯାଏ ବିବାହ ହେଉଛି ଏକ ପବିତ୍ର ବନ୍ଧନ । ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ପୁଅ ଟିଏ ଝିଅଟିଏ ପରସ୍ପରର ହାତ ଧରନ୍ତି । ଦଶ ଦିଗପାଳକୁ ସାକ୍ଷୀ ପରସ୍ପରର ସବୁ ଦୋଷାଦୋଷକୁ କ୍ଷମା କରିବାକୁ ପ୍ରତିଶୃତି ଦିଅନ୍ତି । ହେଲେ ଏହି ପବିତ୍ର ସମ୍ପର୍କରେ ବେଳେବେଳେ ଏମିତି କିଛି ଭୁଲ ବୁଝାମଣା ହୁଏ ଯାହା ଗୋଟିଏ ହସିଲା ସଂସାରକୁ ନିମିଶକ ମଧ୍ୟରେ ଭାଙ୍ଗି ରୁଜି ଚୁରମାର କରିଦିଏ । ଆଉ ଥରେ ସମ୍ପର୍କରେ ଫାଟ ଆସିଲେ ସେହି ଭଙ୍ଗା ଫାଟରେ ଯେତେ ବିଶ୍ୱାସର ମାଟି ଲେପନ କଲେବି ତାହା କେବେ ହେଲେ ପୂର୍ବଭଳି ନିବିଡ ହୋଇନଥାଏ । ଆମେ ଏବେ ଆପଣଙ୍କୁ ଏହି କଥା ଏଥିପାଇଁ କହୁଛୁ କାରଣ ଏଇ ନିକଟରେ ମାଲକାନଗିରିରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଆପଣ ଶୁଣିଲେ ଆପଣଙ୍କୁ ଅପେରା ପାର୍ଟିର କାହାଣୀ ପରି ଲାଗିବ ।
ମାତ୍ର ଏହା କାହାଣୀ ନୁହେଁ ଏହା ଏକ ବାସ୍ତବ ଘଟଣା । ଗତ କିଛିଦିନ ତଳେ ମାଥିଲି କମାରପାଲି ଗାଁର ବିବାହିତ ରାମ କବାସୀଙ୍କର ଗାଁର ଆଇତା ମାଡକାମୀଙ୍କ ସହିତ ପ୍ରେମ ହୋଇଥିଲା । ମାତ୍ର ଉକ୍ତ ସମ୍ପର୍କକୁ କୌଣସି ପ୍ରକାରେ ଜାଣି ପାରିଥିଲେ ରାମଙ୍କ ବିବାହିତ ପତ୍ନୀ । ପତ୍ନୀ ଏହି କଥା ଜାଣି ସାରିବା ପରେ ସାଧାରଣ ସ୍ତ୍ରୀ ଲୋକଙ୍କ ପରି ବିଚଳିତ ହୋଇ ନଥିଲେ । କି ସ୍ୱାମୀଙ୍କ ସହିତ କଳି ଝଗଡା କରି ନଥିଲେ । ବରଂ ନିଜ ପ୍ରଚେଷ୍ଟାରେ ସଦର ସିଦେ୍ଧଶ୍ୱର ମନ୍ଦିରରେ ନିଜ ସ୍ୱାମୀଙ୍କୁ ତାଙ୍କ ପ୍ରେମିକା ସହିୀତ ରୀତିନୀତି ଅନୁସାରେ ବିବାହ ଦେଇଛନ୍ତି । ଯାହାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।