ଭୁବନେଶ୍ୱର(ଏଟିଆର ବ୍ୟୁରୋ) : ଅସରାଏ ବର୍ଷାରେ ଉବୁଟୁବୁ ରାଜଧାନୀ । ଅବସ୍ଥା ଏକଦମ ବେହାଲ । ଚାରିଆଡେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି । କେଉଁଠି ବାଇକ ଭାସୁଛି ତ ଆଉ କେଉଁଠି କାର । କେବଳ ଏତିକି ନୁହେଁ ଘରେ ନର୍ଦ୍ଦମା ପାଣି ଛାତି ଯାଏଁ ଲହଡି ମାରୁଛି । ପରିସ୍ଥିତି ଏପରି ହୋଇଛି ଯେ ଲୋକେ ରୋଷେଇ ବାସ ବନ୍ଦ କରି ଉପାସ ରହିଥିବା ଦେଖିବାକୁ ମିଳିଛି । ବହୁ ଲୋକ ପାଣି ଘେରରେ ଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ଲାଗି ଅଗ୍ନିଶମ ବିଭାଗ ପଚେଷ୍ଟା ଜାରି ରଖିଛି ।
ସେପଟେ କଟକ ସହର ମଧ୍ୟ ଅବସ୍ଥା ଅସମ୍ଭାଳ ହୋଇଛି । ଲଗାଣ ବର୍ଷାରେ ପୂରା ସହର ଏବେ ଜଳବନ୍ଦୀ । ରାସ୍ତାଘାଟ ଘରଦ୍ୱାର ସବୁଠି ସୁଅ ଛୁଟୁଛିି ବର୍ଷା ପାଣିର । ଲିଙ୍କ ରୋଡ, ବାଦାମବାଡି, ବକ୍ସିବଜାର, ଆଦି ଅଂଚଳ ପୂରାପୂରି ଡୁବି ରହିଛି ।
ପ୍ରବଳ ବର୍ଷାରେ ପୁରୀ ସହରର ହୋଲିଆ ମଧ୍ୟ ବଦଳିଯାଇଛି । ବଡ଼ଦାଣ୍ଡରେ ଲହଡି ମାରୁଛି ୪ଫୁଟ ଉଚ୍ଚର ପାଣି । ଆସନ୍ତାକାଲି ବାହୁଡା ଯାତ୍ରା ଥିବା ବେଳେ ରଥ ବର୍ଷାପାଣିରେ ଅଧାଯାଏଁ ବୁଡି ରହିଛି । ଯାହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପାଣି ନିଷ୍କାସନ କରିବା ଲାଗି ପ୍ରଶାସନ ଅଂଟା ଭିଡିଥିବା ଜଣାପଡିଛି
ସେହିପରି ରାୟଗଡ଼ାରେ ସ୍ଥିତି ଅସମ୍ଭାଳ ରହିଛି । ଉପୁଜିଛି ଏକ ବନ୍ୟା ପରିସ୍ଥିତି । ପ୍ରବଳ ବର୍ଷାଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅତଡା ଖସି ଟ୍ରେନ ଟ୍ରାକ ନଷ୍ଟ ହୋଇଯାଇଛି । ଫଳରେ ହୀରାଖଣ୍ଡ ସମେତ ଅନେକ ଟ୍ରେନ ଅଧାବାଟରେ ଅଟକି ରହିଛି । ଏପଟେ କଲ୍ୟାଣସିଂହପୁର ଅଂଚଳରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡି ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
କେନ୍ଦ୍ରପଡାରେ ମଧ୍ୟ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ବର୍ଷା ସହ ଘୂର୍ଣ୍ଣିଝଡ ଯୋଗୁ ମହାନଙ୍ଗଳା ଗ୍ରାମରେ ପାଖାପାଖି ୩୦ରୁ ଅଧିକ ଘର ଛପର ଉଡିଯାଇଛି । ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବାରୁ ପୂରା ଗାଁ ଅନ୍ଧାର ଘେରରେ ରହିଛି ।
ସେପଟେ କୋରାପୁଟରେ ମଧ୍ୟ କିଛି କମ ବର୍ଷା ହୋଇନାହିଁ । ଦୁଇ ଦିନର ଲଗାଣ ବର୍ଷାରେ ପୂରା ଅଂଚଳ ଏବେ ଜଳମଗ୍ନ । ଲୋକେ ଘରୁ ବହାରି ପାରୁନାହାନ୍ତି । ଲିଲିଗୁମ୍ମା ଓ ଭାଲୁମସ୍କା ମଧ୍ୟ ଦେଇ ଯାଇଥିବା ରେଳ ଧାରଣାରେ ମଧ୍ୟ ସମୁଦ୍ର ପରି ଲହଡି ମାରୁଛି ପାଣି । ଫଳରେ ଏଠାରେ ମଧ୍ୟ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଏପଟେ ଅସାରାଏ ବର୍ଷାରେ ମାଲକାନାଗିରିର ନକ୍ସା ତ’ ପୂରା ବଦଳିଯାଇଛି । ଆଖି ଯେଉଁଠି ପଡିବ ସେଠି ଆଣ୍ଠୁଏ ଉଚ୍ଚର ପାଣି । ସାବେରୀ ନଦୀ ପୋଲ ଉପରେ ୭ ଫୁଟର ପାଣି ବୋହୁଛି । ଫଳରେ ମାଲକାନଗିରି – ଛତିଶଗଡକୁ଼ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଉଭୟ ପାଶ୍ୱର୍ରେ ଅଟକି ରହିଛନ୍ତି ଶହ ଶହ ଯାତ୍ରୀ ।
କଳାହାଣ୍ଡିରେ ବି ଜାରି ରହିଛି ଲଗାଣ ବର୍ଷା । ଜୟପାଟଣା ଅଂଚଳରେ ହାତୀ ଓ ଇନ୍ଦ୍ରାବତି ନଦୀ ଧୀରେ ଧୀରେ ଫୁଲୁଛି । ବିଭିନ୍ନ ତଳି ଅଂଚଳ ଗାଁରେ ପଶିଛି ଆଣ୍ଠୁଏ ଉଚ୍ଚର ପାଣି । ଜୁନାଗଡ ବ୍ଲକ ପିତାଗୁଡା ଗାଁରେ ପ୍ରବଳ ବର୍ଷାରେ ଏକ ଘର ଭାଙ୍ଗି ଯାଇଥିବା ଜଣାପଡିଛି । ଏଥିରେ ଜଣେ ମାନସିକ ବିକୃତ ମହିଳାଙ୍କ ମୃତ୍ୟୁ ହୋଇଛି ।
କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ବି ପ୍ରବଳ ବର୍ଷା ଜାରି ରହିଛି । ଫଳରେ କୋଟଗଡ ଠାରୁ ଶ୍ରୀରାମପୁର ଓ ସୁବର୍ଣ୍ଣଗିରିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଧୋଇଯାଇଛି । ରାସ୍ତା ଭାଙ୍ଗି ଯିବାରୁ ଯାତାୟତା ବନ୍ଦ ରହିଛି । ଏପରିକି କିଛି ଗାଡି ମଧ୍ୟ ସେଠାରେ ଫସି ରହିଛି । ଜେସବି ଦ୍ୱାରା ଗାଡି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡିଛି ।
ବର୍ଷାର ଉତ୍ପାତ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଅଧିକାଂଶ ଅଂଚଳର ଲୋକେ ଘରୁ ବାହାରି ପାରୁ ନଥିବା ବେଳେ କିଛି ଲୋକଙ୍କ ଧନସମ୍ପତି ନଷ୍ଟ ହୋଇଯାଇଛି । ଏନେଇ ଲୋକେ ଚିନ୍ତାଗ୍ରସ୍ତରେ ରହିଛନ୍ତି । ଆଜି ସନ୍ଧ୍ୟାସୁଦ୍ଧା ଏଠାରେ ଆହୁରି ବର୍ଷା ହେବାର ସମ୍ଭାବନା ପାଣିପାଗ ବିଭାଗରୁ ସୂଚନା ମିଳିଛି ।