ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସୋମବାର ହେଉଛି ପ୍ରସିଦ୍ଧ ମକର ସଂକ୍ରାନ୍ତି । ଏଥି ପାଇଁ ଚଳଚଞ୍ଚଳ ହୋଇ ପଡିଛି ସାରା ରାଜ୍ୟ । ତେବେ ଏହି ପର୍ବ କେବଳ ଓଡିଶା ନୁହେଁ ବାହାର ରାଜ୍ୟରେ ମଧ୍ୟ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରାଯାଇଥାଏ । ଏହି ଦିନରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଆଜିର ଦିନରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢ଼ଳିଥାଏ ବୋଲି ବିଶ୍ୱାସ ଅଛି । ମକର ସଂକ୍ରାନ୍ତି ରାଜ୍ୟର ବିଭିନ୍ନ ଜାଗାରେ ମଧ୍ୟ ବିଭିନ୍ନ ଢ଼ଙ୍ଗରେ ପାଳନ କରାଯାଇଥାଏ । ବିଶେଷ କରି ଗାଁ ମାନଙ୍କରେ ମକର ଚାଉଳ ପ୍ରସ୍ତୁତ କରି ପୂଜା କରିବା ପରେ ଏହାକୁ ଖାଇଥାନ୍ତି ଲୋକ ।
କଟକରେ ମକର ସଂକ୍ରାନ୍ତିରେ ଗୁଡିରେ ଆକାଶ ପରିପୂର୍ଣ୍ଣ ହୋଇ ଯାଇଥାଏ । ଏଠାରେ ଗୁଡି ଉଡା ପ୍ରତିଯୋଗିତା ହୋଇଥାଏ । ଏବଂ ମକର ସଂକ୍ରାନ୍ତିରେ ଗୁଡି ଉଡାଇବା ପ୍ରଥା ଆଗରୁ ରହି ଆସିଛି । ସେପଟେ କେନ୍ଦୁଝରରେ ମଧ୍ୟ ମକର ସଂକ୍ରାନ୍ତି ଏକ ବଡ ପର୍ବ । ଏହି ପର୍ବରେ ଜିଲ୍ଲାରେ ବିଭିନ୍ନ ଜାଗାରେ ମେଳା ପଡିବା ସହ ବୋଦା ବଳି ପଡିବା ପ୍ରଥା ରହି ଆସିଛି । ସେପଟେ ପବିତ୍ର ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ତିନି ଠାକୁରଙ୍କୁ ମକର ଚୁଳ ଲାଗି କରାଯିବ। ମହାପ୍ରଭୂଙ୍କୁ ମକର ଚାଉଳ ସହ ୮୪ ପ୍ରକାରର ପିଠା ଭୋଗ ହୋଇଥାଏ। ଆଲାମଚଣ୍ଡୀ ମନ୍ଦିରରୁ ଆସିଥିବା ମକର ତାଡରେ ମକର ଚାଉଳ ଭୋଗର ପରମ୍ପରା ରହିଛି। ମହାପ୍ରଭୂଙ୍କୁ ଏହି ବେଶରେ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏହି ଅବସରରେ ଶ୍ରୀମନ୍ଦିରରେ ମକର ବେଢା ମଧ୍ୟ ଅନୁଷ୍ଠିତ ହୋଇଥାଏ।