କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ନଦୀରେ ଗାଧୋଇବା ପାଇଁ ଯାଇଥିଲେ ଯୁବକ । ଗାଧୋଉଥିବା ବେଳେ ଟାଣିନେଲା କୁମ୍ଭୀର । ଗାଁଲୋକ କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ତେବେ ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ମଣ୍ଡପଡା ଗାଁରେ । କୁମ୍ଭୀର ଟାଣି ନେଇଥିବା ଯୁବକ ହେଲେ ସଞ୍ଜୟ ପ୍ରଧାନ । ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କ ପତ୍ତା ମିଳିନାହିଁ ।
ମିଳିଥିବା ସୂଚନା ମୁତାବକ ରବିବାର ସକାଳେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ହଠାତ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ପାଟି କରି ଚିକ୍ରାର କରିବା ପରେ ତୋଠରେ ଗାଧୋଉଥିବା ଲୋକମାନେ ଧାଇଁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ଏହାପରେ ଗ୍ରାମବାସୀ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ । ସେମାନେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସଂଜୟ ମିଳିନଥିଲେ । ପରିବାର ଲୋକ ଏବଂ ଗାଁଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୭ରେ ରାଜନଗର ବ୍ଳକ୍ ରାଜପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ଯୁବକ ଆହତ ହୋଇଥିଲେ। ସେ ଘାଟରେ ଗାଧୋଉଥିବା ବେଳେ ହଠାତ୍ ଏକ କୁମ୍ଭୀର ତାଙ୍କ ବାମ ହାତକୁ ଆକ୍ରମଣ କରିଥିଲା। ତେବେ କୁମ୍ଭୀର ସହ ଲଢ଼ି ସେ କୌଣସି ମତେ ନିଜକୁ ବଞ୍ଚାଇଥିଲେ।